ସୁନ୍ଦରଗଡ଼:ଇ-ମେଲ୍ରେ ଆସିଲା ନିର୍ଦେଶ, ବଦଳିଗଲା ବ୍ୟାଙ୍କ ଖାତା ବିବରଣୀ। ଆଖି ପିଛୁଳାକେ ଆକାଉଣ୍ଟରୁ ଚାଲିଗଲା ପ୍ରାୟ ୧.୮୫ କୋଟି ଟଙ୍କା। ସୁନ୍ଦରଗଡ଼ ସାଇବର ପୁଲିସର ତତ୍ପରତା ଯୋଗୁଁ ଫେରିଲା ୧ କୋଟି ୧୪ ଲକ୍ଷ ୮୮ ହଜାର ୬୩ ଟଙ୍କା ୫୨ ପଇସା। ବିଜନେସ୍ ଇ-ମେଲ୍ କମ୍ପ୍ରୋମାଇଜ୍ ଜରିଆରେ ହୋଇଥିବା ଏହି ବଡ଼ ସାଇବର ଠକେଇ ଘଟଣାରେ ଉତ୍ତରପ୍ରଦେଶରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ସୁନ୍ଦରଗଡ଼ ସାଇବର ଥାନା ପୁଲିସ। ସୁନ୍ଦରଗଡ଼ର ମେସର୍ସ ଗୋବିନ୍ଦମ୍ ପ୍ରୋଜେକ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏହି ଠକେଇର ଶିକାର ହୋଇଥିଲା। ସାଇବର୍ ଠକମାନେ କମ୍ପାନୀର ଜଣେ ଅଧିକୃତ ବ୍ୟକ୍ତିଙ୍କ ପରିଚୟ ଦେଇ ଜାଲ୍ ଇ-ମେଲ୍ ପଠାଇଥିଲେ। ଏହାର ପ୍ରଭାବରେ କମ୍ପାନୀର ବ୍ୟାଙ୍କ ଖାତା ବିବରଣୀ ପରିବର୍ତ୍ତନ ହୋଇଥିଲା। ପରେ ଦୁଇଟି ଆରଟିଜିଏସ ମାଧ୍ୟମରେ ୬୫ଲକ୍ଷ ୫୭ ହଜାର ୪୩୬ ଓ ୧ କୋଟି ୧୯ ଲକ୍ଷ ୮୮ ହଜାର ଟଙ୍କା ମୋଟ ୧ କୋଟି ୮୫ ଲକ୍ଷ ୪୫ ହଜାର ୪୩୬ ଟଙ୍କା ସନ୍ଦିଗ୍ଧ ଖାତାକୁ ଯାଇଥିଲା। ଘଟଣାରେ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ଥାନାରେ କେସ୍ ନଂ. ୦୮/୨୦୨୬ ରୁଜୁ ହୋଇଥିଲା। ତଦନ୍ତ ସମୟରେ ପୁଲିସ ୧.୧୪ କୋଟିରୁ ଅଧିକ ଟଙ୍କା ଟ୍ରେସ୍ କରି ଅଟକାଇଥିଲା। ଏସଡିଜେଏମ କୋର୍ଟଙ୍କ ଆଦେଶ ପରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ଉକ୍ତ ଟଙ୍କା କମ୍ପାନୀର ଖାତାକୁ ଫେରସ୍ତ କରାଯାଇଛି। ତଦନ୍ତରେ ଉତ୍ତରପ୍ରଦେଶ ହାପୁର ଜିଲାର ଜୁବେର ଓରଫ ଜୁବେରଜି ଓରଫ ଜୁବୈର ଖାନ୍ (୨୬)ଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଥିଲା। ୟୁପି ପୁଲିସର ସହଯୋଗରେ ସେପ୍ଟେମ୍ବର ୯ରେ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କଠାରୁ ଦୁଇଟି ମୋବାଇଲ୍ ଫୋନ୍, ସିମ୍ କାର୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ଜବତ ହୋଇଛି। ଟ୍ରାନ୍ଜିଟ୍ ରିମାଣ୍ଡରେ ଅଭିଯୁକ୍ତଙ୍କୁ ସେପ୍ଟେମ୍ବର ୧୨ରେ ସୁନ୍ଦରଗଡ଼ ଅଣାଯାଇ ଡାକ୍ତରୀ ପରୀକ୍ଷା ପରେ ଏସଡିଜେଏମଙ୍କ ଅଦାଲତରେ ହାଜର କରାଯାଇଛି। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଓ ବାକି ଟଙ୍କା ଉଦ୍ଧାର ପାଇଁ ତଦନ୍ତ ଜାରି ରହିଛି ବୋଲି ଆଜି ଜିଲା ପୁଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କୃଷ୍ଣ ପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ତାଙ୍କ ସହିତ ସାଇବର ଥାନା ଅଧିକାରୀ ମୁକେଶ ସାହାଣୀ ଉପସ୍ଥିତ ରହିଥିଲେ।
ସାଇବର ଅପରାଧରେ ସୁନ୍ଦରଗଡ଼ ପୁଲିସକୁ ମିଳିଲା ବଡ଼ ସଫଳତା; ୧ ଅଭିଯୁକ୍ତ ଗିରଫ
