ମୟୂରଭଞ୍ଜ : ସାପ କାମୁଡ଼ିବା ପରେ ସାଧାରଣତଃ ଲୋକେ ଭୟଭୀତ ହୋଇ ସାପଠାରୁ ଦୂରେଇ ଯାଆନ୍ତି। କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ଥାନା ଅଧୀନ ସିଙ୍ଗଡ଼ା ଗ୍ରାମରେ ଘଟିଛି ଏକ ଭିନ୍ନ ଓ ଆଶ୍ଚର୍ଯ୍ୟଜନକ ଘଟଣା। ସାପ କାମୁଡ଼ିବା ପରେ ଭୟଭୀତ ନହୋଇ ନିଜେ ସେହି ସାପକୁ ଧରି ଏକ ଡବା ଭିତରେ ପୂରାଇ ଚିକିତ୍ସା ପାଇଁ ହସ୍ପିଟାଲରେ ପହଞ୍ଚିଛନ୍ତି ଜଣେ ଯୁବକ। ସୂଚନା ଅନୁସାରେ, ସିଙ୍ଗଡ଼ା ଗ୍ରାମର ରାଜେନ୍ଦ୍ର ଲୋହାର ନିଜ ଘରେ କାମ କରୁଥିବା ସମୟରେ ହଠାତ ଏକ ସାପ ତାଙ୍କ ହାତକୁ କାମୁଡ଼ି ଦେଇଥିଲା। ସାପ କାମୁଡ଼ିବା ପରେ ମଧ୍ୟ ରାଜେନ୍ଦ୍ର ଆତଙ୍କିତ ନହୋଇ ସାହସର ସହ ସେହି ସାପଟିକୁ ଧରିଥିଲେ। ପରେ ସାପଟିକୁ ଏକ ଡବା ମଧ୍ୟରେ ସୁରକ୍ଷିତ ଭାବେ ପୂରାଇ ଦେଇଥିଲେ। ଏହାପରେ ରାଜେନ୍ଦ୍ର ଏକ ଅଟୋ ଯୋଗେ କରଞ୍ଜିଆ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ନେଇଥିଲେ। ତାଙ୍କ ସହ ଆଣିଥିବା ସାପକୁ ଦେଖି ମେଡିକାଲରେ ମଧ୍ୟ ଏହି ଘଟଣାକୁନେଇ ଚର୍ଚ୍ଚା ହୋଇଥିଲା। ବର୍ତ୍ତମାନ ରାଜେନ୍ଦ୍ର ମେଡିକାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସୁସ୍ଥ ଓ ସ୍ଥିର ଥିବା ଜଣାପଡ଼ିଛି। ତେବେ ସାପ କାମୁଡ଼ିବା ପରେ ଏଭଳି ଭାବେ ସାପକୁ ଧରି ହସ୍ପିଟାଲ ଆସିବା ଘଟଣା ଅଞ୍ଚଳରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି। ତେବେ ସାପ କାମୁଡ଼ିଲେ ସାପକୁ ଧରିବା କିମ୍ବା ତା’ ପାଖକୁ ଯିବା ଅତ୍ୟନ୍ତ ବିପଦଜନକ। ଏଭଳି ପରିସ୍ଥିତିରେ ସାପଠାରୁ ଦୂରେଇ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ନେବା ହିଁ ସୁରକ୍ଷିତ ପଦକ୍ଷେପ।
ସାପ କାମୁଡ଼ିଲା, ଭୟନକରି ସାପ ସହ ହସ୍ପିଟାଲରେ ପହଞ୍ଚିଲେ ଯୁବକ
