ନଭେମ୍ବର ୨୭ରେ ପାଳିତ ହେବ ଅନ୍ତର୍ଜାତୀୟ ବାଲ୍ୟବିବାହ ଦୂରୀକରଣ ଦିବସ

ନ୍ୟୁୟର୍କ: ନଭେମ୍ବର ୨୭ ତାରିଖକୁ ‘ଅନ୍ତର୍ଜାତୀୟ ବାଲ୍ୟ ବିବାହ, ବଳପୂର୍ବକ ବିବାହ ଦୂରୀକରଣ ଦିବସ’ ଭାବେ ଘୋଷଣା କରିଛି ଜାତିସଂଘ। ଗ୍ରାମୀଣ ଭାରତରୁ ଆରମ୍ଭ ହୋଇଥିବା ଏକ ଆନ୍ଦୋଳନ ଏବେ ଏକ ବିଶ୍ୱ ଅଭିଯାନରେ ପରିଣତ ହୋଇଛି। ଶିଶୁ ଅଧିକାର ସଂଗଠନ ‘ଜଷ୍ଟ ରାଇଟ୍ସ ଫର ଚିଲଡ୍ରେନ୍’ ପକ୍ଷରୁ ବାଲ୍ୟବିବାହ ମୁକ୍ତ ଭାରତ ନାମକ ଏକ ଅଭିଯାନ ଆରମ୍ଭ କରାଯାଇଥିଲା। ଏହାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ବିଶ୍ବବ୍ୟାପୀ ଦେଖିବାକୁ ମିଳିଛି। ଶିଶୁ ଅଧିକାର କର୍ମୀ ଏବଂ ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍‌ଡ୍ରେନ୍’ର ପ୍ରତିଷ୍ଠାତା ଭୁବନ ରିଭୁ ବିଶ୍ୱବ୍ୟାପୀ ବାଲ୍ୟବିବାହ ବିରୋଧରେ ଏକ ଦିବସ ପାଳନ କରିବାକୁ ଜାତିସଂଘକୁ ପ୍ରସ୍ତାବ ଦେଇଥିଲେ। ତାଙ୍କର ଆବେଦନ ଏବେ ଫଳପ୍ରଦ ହୋଇଛି। ପଶ୍ଚିମ ଆଫ୍ରିକୀୟ ଦେଶ ସିଏରା ଲିଓନ୍ ସେପ୍ଟେମ୍ବର ୪ ତାରିଖରେ ଜାତିସଂଘରେ ଏହି ପ୍ରସ୍ତାବ ଉପସ୍ଥାପନ କରିଥିଲା ଏବଂ ଏହାକୁ ଅନୁମୋଦନ କରାଯାଇଛି। ଭାରତ ୨୦୨୪ ମସିହା ୨୭ ନଭେମ୍ବରରେ ‘ବାଲ୍ୟବିବାହ ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଥିଲା। ଏହା ଭାରତ ଏବଂ ବିଶ୍ୱର ଲକ୍ଷ ଲକ୍ଷ ଝିଅଙ୍କ ପାଇଁ ଗୁରୁତ୍ୱ ବହନ କରୁଛି ଯେଉଁମାନେ ବାଲ୍ୟବିବାହ ପାଇଁ ବାଧ୍ୟ ହୋଇଥାନ୍ତି। ୨୦୧୯-୨୧ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେର ରିପୋର୍ଟ ଅନୁଯାୟୀ ଭାରତରେ ୨୩.୩% ଝିଅଙ୍କ ବିବାହ ୧୮ ବର୍ଷ ହେବା ପୂର୍ବରୁ ହୋଇଥିଲା। ତେବେ ୨୦୨୪ ବେଳକୁ ଏହି ସଂଖ୍ୟା ୨୦.୧%କୁ କମି ଯାଇଥିଲା। ୨୦୨୬ ଶେଷ ସୁଦ୍ଧା ଏହି ସଂଖ୍ୟା ୧୦%କୁ କମାଇବାକୁ ଭାରତ ସରକାର ଲକ୍ଷ୍ୟ ରଖିଥିବା ରିଭୁ କହିଛନ୍ତି।

Leave a Reply

Your email address will not be published. Required fields are marked *