ଟ୍ରଲର-ଟ୍ରକ୍ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ରେଢ଼ାଖୋଲ: ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ ସହରସ୍ଥିତ ଭୀମଭୋଇ କଲେଜ ନିକଟସ୍ଥ ପୋଲ ଉପରେ ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଏକ ଟ୍ରଲର ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିର ଚାଳକ ଗୁରୁତର ଆହତ ହୋଇଛନ୍ତି।​ଖବର ପାଇ ପୁଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ଆହତ ଦ୍ବୟଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଆହତ ଚାଳକ ଦ୍ବୟ ହେଲେ ଝାଡ଼ଖଣ୍ଡ ରାଜ୍ୟ ନୟା ଥାନା ଜୟପୁର ଗ୍ରାମର ରାହୁଲ କୁମାର ଓ ରାଜସ୍ଥାନ ଅଜମେର ଅଞ୍ଛଳର ହନୁମାନ ଚୌଧୁରୀ। ରାହୁଲଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ହନୁମାନ ରେଢ଼ାଖୋଲ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ବୟ ଅଟକି ରହିବାରୁ ରାତି ୨ଟା ରୁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଆଜି ଦିନ ୧୨ଟା ବାଜିଥିଲେ ସୁଦ୍ଧା ରାସ୍ତା ସ୍ବାଭାବିକ ହୋଇପାରି ନାହିଁ। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାତ୍ରୀବାହୀ ବସ୍, ଆମ୍ବୁଲାନ୍ସ ଓ ମାଲବାହୀ ଟ୍ରକ୍ ଫସି ରହିଛି।

Leave a Reply

Your email address will not be published. Required fields are marked *