ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ

କଲକାତା: ପଶ୍ଚିମବଙ୍ଗ ସ୍ପେସାଲ୍ ଇଣ୍ଟେନସିଭ ରିଭିଜନ (ଏସଆଇଆର)ରେ ହଟା ଯାଇଥିବା ଭୋଟରଙ୍କ ସୂଚନା ପ୍ରଦାନ କରିବା ପାଇଁ ନିର୍ବାଚନ କମିସନଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ନିର୍ଦେଶ ଦେଇଛନ୍ତି। ଆପିଲେଟ୍ ଟ୍ରାଇବ୍ୟୁନାଲ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ମଧ୍ୟ ବିବରଣୀ ମାଗିଛନ୍ତି। ଏହି ଆପିଲେଟ ଟ୍ରାଇବ୍ୟୁନାଲ ଗୁଡ଼ିକ ଭୋଟର ତାଲିକାରୁ ନାମ ବାଦ ଦିଆଯାଇଥିବା ବ୍ୟକ୍ତିମାନଙ୍କ ଆବେଦନର ଶୁଣାଣି କରୁଛନ୍ତି। ଟ୍ରାଇବ୍ୟୁନାଲ୍ ସଂଖ୍ୟା, କାର୍ଯ୍ୟ ସମୟ ଓ ମାମଲା ସମାଧାନ ଗତି ଭଳି ପ୍ରସଙ୍ଗଗୁଡ଼ିକୁ ଯାଞ୍ଚ କରିବାକୁ ସର୍ବୋର୍ଚ୍ଚ ନ୍ୟାୟାଳୟ ରାଜି ହୋଇଛନ୍ତି। ଶୁଣାଣିରେ ବିଳମ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଶୁଣାଣି ପ୍ରକ୍ରିୟା ଏଭଳି ଗତିରେ ଚାଲିଲେ ଆଗାମୀ ନିର୍ବାଚନ ଆସିଯିବ ବୋଲି ଭାରତର ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ କହିଛନ୍ତି। ଆବେଦନକାରୀ ଯୁକ୍ତି ଦେଇଥିଲେ ଯେ ଟ୍ରାଇବ୍ୟୁନାଲଗୁଡ଼ିକ ଆବେଦନ ଉପରେ ଶୀଘ୍ର ବିଚାର କରୁନାହାନ୍ତି। ତେବେ ଟ୍ରାଇବ୍ୟୁନାଲ୍ ଦ୍ୱାରା ମାମଲା ଗୁଡ଼ିକର ସମାଧାନ ପାଇଁ ଏକ ନିର୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିପାରିବ ନାହିଁ ବୋଲି କୋର୍ଟ କହିିଥିଲେ।

ଶୁଣାଣି ସମୟରେ କେତେ ଆବେଦନ ଦାଖଲ ହୋଇଛି, କେତେ ମାମଲା ଉପରେ ରାୟ ଆସିଛି ଓ ଆଉ କେତେ ମାମଲା ପଡ଼ି ରହିଛି ତାହାର ସୂଚନା ପ୍ରଦାନ କରିବାକୁ ନିର୍ବାଚନ କମିସନଙ୍କୁ କୋର୍ଟ ନିର୍ଦେଶ ଦେଇଥିଲେ। ଏଥିରୁ ଭୋଟର ତାଲିକାରୁ ନାମ ବାଦ ଦେବା ବିରୋଧରେ ଦାଖଲ ଆବେଦନ ଉପରେ ଟ୍ରାଇବ୍ୟୁନାଲ୍ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା ଜଣାପଡ଼ିବ। ଏବେ ପ୍ରାୟ ୩୪ ଲକ୍ଷ ମାମଲା ଟ୍ରାଇବ୍ୟୁନାଲଗୁଡ଼ିକରେ ବିଚାରାଧୀନ ରହିଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଦ୍ୱାରା ଦାଏର ଏକ ଆବେଦନର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଶୀଘ୍ର ମାମଲାର ସମାଧାନ ଲାଗି ନିର୍ଦେଶ ଦେବାକୁ ଚୌଧୁରୀ ନିବେଦନ କରିଥିଲେ। ଆବେଦନକାରୀଙ୍କ ଓକିଲ କହିଥିଲେ ମାମଲା ଶୁଣାଣିରେ ବିଳମ୍ବ ହେଉଥିବାରୁ ଲୋକଙ୍କୁ ରେସନ ସାମଗ୍ରୀ ମିଳୁ ନାହିଁ।

Leave a Reply

Your email address will not be published. Required fields are marked *