ଭବାନୀପାଟଣା/ଜୁନାଗଡ଼:ଜୁନାଗଡ଼ ଥାନା ଅନ୍ତର୍ଗତ ୨୬ ନମ୍ୱର୍ ଜାତୀୟ ରାଜପଥ ର ଚଞ୍ଚରାଭାଡ଼ି ଛକ ନିକଟରେ ଏକ ଟ୍ରକ୍ ଧକ୍କାରେ ଜଣେ ମହିଳା ଫରେଷ୍ଟରଙ୍କ ମୃତ୍ୟୁ ଘଟିଛି। ମୃତକ ଝୁନୁ ବାଳା ସାହୁ, (୪୮) ଧର୍ମଗଡ ରେଞ୍ଜ ଅଫିସ ରେ ଫରେଷ୍ଟର ଭାବେ କାର୍ଯ୍ୟ କରନ୍ତି। ଆଜି ଅପରାହ୍ନରେ ଭବାନୀପାଟଣାରୁ ଧର୍ମଗଡ ଫେରିବା ବାଟରେ ଏକ ମାଲ ବୋଝେଇ ଟ୍ରକ୍ ତାଙ୍କ ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଦେବା ସହିତ ତାଙ୍କୁ ସ୍କୁଟି ସହିତ ପ୍ରାୟ ୩ ଶହ ମିଟର ଘୋଷାଡ଼ି ନେଇଥିଲା। କିଛିଲୋକ ଟ୍ରକ୍ କୁ ଗୋଡାଇବାରୁ ରାସ୍ତା ମଝିରେ ଟ୍ରକ୍ ରଖି ଚାଳକ ଫେରାର ହେଇଯାଇଥିଲା। ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ ସ୍କୁଟିର କେତେକ ଅଂଶ ଟ୍ରକ୍ ଆଗରେ ଲାଖି ରହିଥିବା ବେଳେ ଟ୍ରକ୍ ଚକତଲେ ହେଲମେଟ ଲାଗିରହିଛି। ଖବରପାଇ ଜୁନାଗଡ଼ ପୁଲିସ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରି ଜୁନାଗଡ଼ ଡାକ୍ତରଖାନାକୁ ଆଣିଥିଲା। ଧର୍ମଗଡ ବ୍ଲକ ସର୍ଧାପୂର୍ ଗାଁ ର ମୂଳ ବାସିନ୍ଦା ଝୁନୁବାଲା ଙ୍କ ସ୍ଵାମୀ ପ୍ରାୟ ୧୦ ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କର ୨ ଟି ପୁଅ ଅଛନ୍ତି। ସେ ଅନେକବାର ରାଜ୍ୟସ୍ତରୀୟ ବିଭାଗୀୟ ଖେଳ କୁଦ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରି ଜିଲା ପାଇଁ ଗୌରବ ଅର୍ଜନ କରିଥିଲେ। ଝୁନୁବାଲାଙ୍କ ମୃତ୍ୟୁରେ ବନ କର୍ମଚାରୀ ଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଖବରପାଇ ଜୁନାଗଡ଼ ଏବଂ ଧର୍ମଗଡ ରେଞ୍ଜ ଅଧିକାରୀ ଏବଂ ତାଙ୍କ ସହକର୍ମୀ ମାନେ ଜୁନାଗଡ଼ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଆସନ୍ତାକାଲି ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।
ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଫରେଷ୍ଟର ମୃତ
