ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ୍ତର ମନ୍ତରର ୧.୫ କିଲୋମିଟର ପରିଧି ମଧ୍ୟରେ ମଧ୍ୟରାତ୍ରି ପର୍ଯ୍ୟନ୍ତ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ଜନ୍ତର ମନ୍ତରକୁ କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିବାଦ ସ୍ଥଳ ଭାବେ ବ୍ୟବହାର କରାଯାଉଛି।ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ବାହାରେ ଧାରା ୧୬୩ ଲାଗୁ କରାଯାଇଛି। ପୋଲିସ ପକ୍ଷରୁ ସମ୍ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ସତର୍କତା ଜାରି କରାଯାଇଛି।
ଆନ୍ଦୋଳନର ପ୍ରଭାବ ରାଜଧାନୀର ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ନୂଆଦିଲ୍ଲୀ ବ୍ୟବସାୟୀ ସଂଘ (NDTA)ର ପରାମର୍ଶକ୍ରମେ ଆଜି ସନ୍ଧ୍ୟା ୬.୩୦ ପରେ କନଟ୍ ପ୍ଲେସ୍ର ସମସ୍ତ ଦୋକାନ ଓ ରେଷ୍ଟୁରାଣ୍ଟ ବନ୍ଦ ରଖାଯାଇଛି।ଏହି ସମୟରେ ବିରୋଧୀ ଦଳର ନେତାଙ୍କ ସୁନହେରୀ ବାଗସ୍ଥିତ ବାସଭବନରେ ପ୍ରତିବାଦକାରୀଙ୍କ ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ବିରୋଧୀ ଦଳର ସାଂସଦ ଓ ଇଣ୍ଡିଆ ମେଣ୍ଟର ନେତାମାନେ ତିସ୍ ଜାନୁଆରୀ ମାର୍ଗସ୍ଥିତ ଗାନ୍ଧୀ ସ୍ମୃତି ସ୍ମାରକୀରେ ପହଞ୍ଚିଥିଲେ।
