କଲକାତା : ଦୀର୍ଘ ୧୯ ବର୍ଷ ପରେ କଲକାତାକୁ ଫେରିଛନ୍ତି ବିବାଦୀୟ ତଥା ବାଂଲାଦେଶରୁ ନିର୍ବାସିତ ଲେଖିକା ତସଲିମା ନସରିନ୍। ଶୁକ୍ରବାର ସୋସିଆଲ ମିଡିଆରେ ନିଜ ଆଗମନର ତସଲିମା ସୂଚନା ଦେଇଛନ୍ତି। ତାଙ୍କୁ ସ୍ବାଗତ କରିବା ପାଇଁ କଲକାତା ସହରସାରା ବଡ଼ ବଡ଼ ସ୍ୱାଗତମୂଳକ ହୋର୍ଡିଂ ଲଗାଯାଇଛି। ଏହା ସହ ଶଙ୍ଖ ଧ୍ୱନି ଓ ହୁଳହୁଳି ମଧ୍ୟରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ନିଜର ଏହି ଫେରନ୍ତା ଯାତ୍ରାକୁ ସେ ଏକ ‘ଭାବପ୍ରବଣ ଘର ୱାପସୀ’ ବୋଲି ଅଭିହିତ କରିଛନ୍ତି। ବିମାନବନ୍ଦରରେ ସେ ହାତ ଯୋଡ଼ି ମୋତେ ଫେରିଆସି ବହୁତ ଭଲ ଲାଗୁଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି। ଶନିବାର ସନ୍ଧ୍ୟାରେ କଲକାତାର ରବୀନ୍ଦ୍ର ସଦନଠାରେ ‘ସିକ୍ୟୁଲାର ମିଶନ ଟ୍ରଷ୍ଟ’ ଏବଂ ‘ହ୍ୟୁମାନ ରାଇଟ୍ସ ଆଣ୍ଡ ବାଂଲାଦେଶ ଫ୍ରିଡମ୍ ଫାଇଟର୍ସ ଫାଉଣ୍ଡେସନ’ ପକ୍ଷରୁ ଆୟୋଜିତ ଧାର୍ମିକ କଟ୍ଟରପନ୍ଥ ବିରୋଧୀ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ଯୋଗଦେବେ। ୧୯୯୩ରେ ତସଲିମାଙ୍କ ପ୍ରକାଶିତ ଉପନ୍ୟାସ ‘ଲଜ୍ଜା’ ଓ ୨୦୦୩ର ଆତ୍ମଜୀବନୀ ‘ଦ୍ୱିଖଣ୍ଡିତ’ ପାଇଁ ତାଙ୍କ ବିରୋଧରେ ଇସଲାମିକ କଟ୍ଟରପନ୍ଥୀ ସଂଗଠନଗୁଡ଼ିକ ତୀବ୍ର ବିରୋଧ ପ୍ରଦର୍ଶନ କରିଥିଲେ। ୨୦୦୭ ନଭେମ୍ବରରେ କଲକାତା ରାସ୍ତାରେ ବ୍ୟାପକ ହିଂସାକାଣ୍ଡ ଓ ଆନ୍ଦୋଳନ ହେବା ପରେ, ସେତେବେଳର ବାମପନ୍ଥୀ ସରକାର ତାଙ୍କୁ କଲକାତା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସେ ଜୟପୁର, ନୂଆଦିଲ୍ଲୀ ଓ ବିଦେଶରେ ରହିଆସୁଥିଲେ ବି କଲକାତାକୁ ନିଜର ପ୍ରକୃତ ଘର ବୋଲି ଗ୍ରହଣ କରିଥିଲେ। ୧୯ ବର୍ଷ ପରେ ତାଙ୍କର ଏହି ପ୍ରତ୍ୟାବର୍ତ୍ତନକୁ ନେଇ କଲକାତାରେ ଆଲୋଡ଼ନ ସୃଷ୍ଟି ହୋଇଛି।
୧୯ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
