ଶ୍ରୀନଗର : ସ୍ବାଧୀନତା ଦିବସ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟାଇବା ନେଇ ସୀମାପାର ଆତଙ୍କବାଦୀ ସଂଗଠନଗୁଡିକ ପକ୍ଷରୁ ଯୋଜନା କରାଯାଇଥିବା ନେଇ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଗୁଇନ୍ଦା ବିଭାଗର ଏହି ସତର୍କ ସୂଚନା ପରେ ଜାମ୍ମୁ-କାଶ୍ମୀରରେ ହାଇଆଲର୍ଟ ଜାରି କରାଯିବା ସହିତ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଲଓସି ଓ ଆନ୍ତର୍ଜାତିକ ସୀମାର ଆତଙ୍କବାଦୀ ଅନୁପ୍ରବେଶ ପଥଗୁଡିକରେ କଡାପ୍ରହରା ଦିଆଯାଇଛି। ସମ୍ବେଦନଶୀଳ ଅଞ୍ଚଳରେ ମୋବାଇଲ ଚେକ୍ ପଏଣ୍ଟ ସ୍ଥାପନ କରାଯାଇଛି। ପ୍ରତ୍ୟେକ ଗାଡି ଓ ବ୍ୟକ୍ତିବିଶେଷଙ୍କୁ ଯାଞ୍ଚ କରାଯିବା ସହିତ କେ-୯ ଡଗସ୍କ୍ବାଡ୍ ମୁତୟନ କରାଯାଇଛି। ପ୍ରତ୍ୟେକ ଜିଲାରେ ସିସିଟିଭି ଯାଞ୍ଚ ପୂର୍ବକ ସନ୍ଦିଗ୍ଧଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ଜାମ୍ମୁ ଓ କାଶ୍ମୀରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜଳ, ସ୍ଥଳ ଓ ଆକାଶମାର୍ଗରୁ ନଜର ରଖିବା ପାଇଁ ଏକ ବହୁସ୍ତରୀୟ ସୁରକ୍ଷା ଗ୍ରିଡ୍ ସକ୍ରିୟ କରାଯାଇଛି। ଦକ୍ଷିଣ କାଶ୍ମୀରର ସମ୍ବେଦନଶୀଳ ଅଞ୍ଚଳ ଏବଂ ସୀମାନ୍ତବର୍ତ୍ତୀ ଜିଲାଗୁଡ଼ିକ ଉପରେ ବିଶେଷ ନଜର ରଖାଯାଇଛି। ଜାମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ସମେତ ସହରର ପ୍ରବେଶ ପଥଗୁଡ଼ିକରେ ଚେକପଏଣ୍ଟ ବସାଯାଇ ଗାଡ଼ିମୋଟର ଯାଞ୍ଚ କରାଯାଉଛି।
ସ୍ବାଧୀନତା ଦିବସ`ପାଇଁ ଜାମ୍ମୁ-କାଶ୍ମୀରରେ ହାଇ ଆଲର୍ଟ
