ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ମାମଲା ; ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ଘରେ ଚଢ଼ଉ

ଭୁବନେଶ୍ବର : ରାଜ୍ୟର ସବୁଠାରୁ ସୁରକ୍ଷିତ ତଥା କଡ଼ା ନଜରରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ)ରୁ କିପରି ଏବଂ କେଉଁ ପରିସ୍ଥିତିରେ ଅତି ସମ୍ବେଦନଶୀଳ ଫାଇଲ୍ ଗାଏବ ହେଲା, ତାହାକୁ ନେଇ ଏବେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଜାରି ରଖିଛି। ଫାଇଲ ପାଇବା ଲାଗି ତଦନ୍ତକାରୀ ଦଳ ସୁରାକ୍‌ ଖୋଜିବା ଆରମ୍ଭ କରିଛି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ କିରାଣି ବି.ଏନ୍‌ ମହାରଣାଙ୍କ ଘରେ ଚଢ଼ଉ କରିଛି। କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପି ଆଶୁତୋଷ ମିଶ୍ରଙ୍କ ନେତୃତ୍ବରେ ସ୍ବତନ୍ତ୍ର ଦଳ ଶ୍ରୀ ମହାରଣାଙ୍କ ଘରେ ପ୍ରାୟ ୫ଘଣ୍ଟା ଧରି ତଲାସି କରିଛନ୍ତି। ତନ୍ନତନ୍ନ କରି ଯାଞ୍ଚ କରିବା ସହ କାଗଜପତ୍ର ଅଣ୍ଡାଳିଥିଲେ। ଶ୍ରୀ ମହରଣାଙ୍କୁ ମଧ୍ୟ ପଚରାଉଚରା କରିଥିଲେ। ଅପରପକ୍ଷେ, ଏହି ମାମଲାରେ କ୍ରାଇମବ୍ରାଞ୍ଚ ୧୦ରୁ ଅଧିକ କର୍ମଚାରୀ, ପୂର୍ବତନ ଅଧିକାରୀଙ୍କର କ୍ରାଇମ୍‌ବ୍ରାଞ୍ଚ ତାଲିକା ପ୍ରସ୍ତୁତ କରିଛି। ୬ ଜଣ କର୍ମଚାରୀଙ୍କୁ ତଦନ୍ତକାରୀ ଦଳ ପଚରାଉଚରା କରିସାରିଛି। ବୈଷୟିକ ପ୍ରକ୍ରିୟାରେ ତଦନ୍ତ କରାଯାଉଛି। କିଛି ବ୍ୟକ୍ତିଙ୍କୁ ନୋଟିସ୍‌ ମଧ୍ୟ କରାଯାଇଛି। ନୋଟିସ ପାଇବା ପରେ ସେ ଯିଏ ହୁଅନ୍ତୁ ନା କାହିଁକିଳ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ବାଧ୍ୟତାମୂଳକ। ହାଜର ନହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ‌ବୋଲି କ୍ରାଇମ୍‌ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି।
କନ୍ଧମାଳର ବହୁଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ଏବଂ ଏହାର ପରବର୍ତ୍ତୀ ତଦନ୍ତ ପାଇଁ ଗଠିତ ‘ନାଇଡୁ କମିସନ’ଙ୍କ ଫାଇଲ୍ ହଜିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିରପେକ୍ଷ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋରଦାର୍‌ କରିଛି। କ୍ୟାପିଟାଲ ଥାନାରୁ ମାମଲା ସଂକ୍ରାନ୍ତ ସମସ୍ତ ଦସ୍ତାବିଜ୍‌ ନେବା ପରେ ବର୍ତ୍ତମାନ ଓ ପୂର୍ବ ଅଧିକରୀମାନଙ୍କ ତାଲିକା ପ୍ରସ୍ତୁତ କରିଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ନୋଟିସ୍‌ ଜାରି କରିସାରିଛି। କ୍ରାଇମବ୍ରାଞ୍ଚ ହାତକୁ ତଦନ୍ତ ଭାର ଯିବା ପରେ ପୂର୍ବ ସରକାରଙ୍କ ସମୟର ବଡ଼ବଡ଼ ପ୍ରଶାସକମାନେ ତଦନ୍ତ ପରିସରଭୁକ୍ତ ହେବା ସମ୍ଭାବନା ବୃଦ୍ଧି ପାଇଛି। ଏତେ ସମ୍ବେଦନଶୀଳ ତଥା ଗୁରୁତ୍ୱପୂର୍ଣ୍ଣ ନ୍ୟାୟିକ ରିପୋର୍ଟ କିପରି ସଚିବାଳୟର ସବୁଠାରୁ ସୁରକ୍ଷିତ କୋଠରିରୁ ଗାଏବ ହେଲା, ତାହା ପଛରେ କାହାର ହାତ ଅଛି ଏବଂ ଏହାକୁ ଜାଣିଶୁଣି ଲୁଚାଯାଇଛି କି ନାହିଁ ତାହାର ସତ ବାହାର କରିବାକୁ କ୍ରାଇମବ୍ରାଞ୍ଚ ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *