ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆରେ ଜଣେ ଭାରତୀୟ ବଂଶୋଦ୍ଭବ ବରିଷ୍ଠ ମହିଳା ଟେକ୍ନୋଲୋଜି ପ୍ରଫେସନାଲ୍ଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ୫୭ ବର୍ଷୀୟା ଶୀତଲ୍ ବ୍ରଜେସିନ୍। ସେ ପୂର୍ବରୁ ଗୁଗଲ୍ରେ ଜଣେ ବରିଷ୍ଠ ଇଞ୍ଜିନିୟରିଂ ଲିଡର୍ ଭାବେ କାର୍ଯ୍ୟ କରିଥିଲେ ଓ ବର୍ତ୍ତମାନ ‘ଗୋ ଫର ଫୁଡ଼ସ’ ରେ ସିନିୟର ଡାଇରେକ୍ଟର ପଦରେ ଥିଲେ। ପୁଲିସ ଅଭିଯୁକ୍ତ ସ୍ୱାମୀ କିର୍କ ବି. ବ୍ରଜେସିନ୍ (୫୬)ଙ୍କୁ ଗିରଫ କରିଛି। ଗୁଳିମାଡରେ ସେମାନଙ୍କ ୨୩ ବର୍ଷର ପୁଅ ଜେସନ୍ ଆହତ ହୋଇଛି। ଜର୍ଜିଆର କୋବ୍ କାଉଣ୍ଟି ପୁଲିସର ସୂଚନା ଅନୁଯାୟୀ ପାରିବାରିକ କଳହ ଉଗ୍ର ରୂପ ନେବାରୁ ସ୍ୱାମୀ କିର୍କ ସ୍ତ୍ରୀ ଓ ପୁଅଙ୍କ ଉପରକୁ ଗୁଳି ଚଳାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶୀତଲ୍ଙ୍କର ମୃତ୍ୟୁ ହୋଇସାରିଥିଲା ଓ ପୁଅ ଜେସନ୍ ଘର ବାହାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିଲେ। ପୁଲିସ ଅଭିଯୁକ୍ତ କିର୍କଙ୍କୁ ଗିରଫ କରି କୋବ୍ କାଉଣ୍ଟି ଆଡଲ୍ଟ ଡିଟେନସନ ସେଣ୍ଟରରେ ରଖିଛି। ତାଙ୍କ ବିରୋଧରେ ହତ୍ୟା ଓ ଆକ୍ରମଣ ଭଳି ଅନେକ ସଙ୍ଗିନ ମାମଲା ରୁଜୁ କରାଯାଇଛି। ଶୀତଲ୍ ଜଣେ ପ୍ରତିଭାଶାଳୀ ଟେକ୍ ଲିଡର୍ ଥିଲେ। ସେ ଆମେରିକାର ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ ହାସଲ କରିଥିଲେ। ଟେକ୍ନୋଲୋଜି କ୍ଷେତ୍ରରେ ତାଙ୍କର ଦୁଇ ଦଶନ୍ଧିରୁ ଅଧିକ ସମୟର ଅଭିଜ୍ଞତା ଥିଲା ଓ ତାଙ୍କ ନାମରେ ଦୁଇଟି ସଫ୍ଟୱେର୍ ପେଟେଣ୍ଟ ମଧ୍ୟ ରହିଥିଲା।
ଭାରତ ଜନ୍ମିତ ମହିଳାଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ହତ୍ୟା କଲା ସ୍ବାମୀ
