କେନ୍ଦ୍ରାପଡ଼ା କାଣୀ ନଦୀର ବନ୍ୟା ଜଳରେ ଭାସି ଯାଇ କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ କଳମଡ଼ା ଶାସନ ଗ୍ରାମର ସୀତାକାନ୍ତ ମଳିକ(୬୪) ନିଖୋଜ ହୋଇଯାଇଛନ୍ତି । ପରିବାର ଲୋକଙ୍କ କହିବା ଅନୁଯାୟୀ ସୀତାକନ୍ତ ଶନିବାର ଅପରାହ୍ନରେ ରାସନ ସମାଗ୍ରୀ ଆଣିବାକୁ ନିକଟସ୍ଥ ପଦନୀପାଳ ଗ୍ରାମକୁ ପାଣିରେ ପଶି ପଶି /ଯାଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ସେ ଘରେ ନ ପହଂଚିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ହୋଇଯାଇଥିବାରୁ ଖୋଜାଖୋଜିରେ ବାଧା ଉପୁଜିଥିଲା । ରବିବାର ସକାଳେ ଓଡ୍ରାଫର ୨ଟି ଟିମ୍ କାଣୀ ଓ ଖରସ୍ରୋତ ନଦୀରେ ଖୋଜା ଖୋଜି କରିଥିଲେ ଅପରାହ୍ନ ପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜ /କ ଅଯ`ଖବର ମିଳି ନ ଥିଲା । ପରିବାରର ସେ ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ସେ ନିଖୋଜ ହୋଇଯିବାରୁ ସାରା ପରିବାର ଏବେ ଅସହାୟ ହୋଇ ପଡିଛନ୍ତି । ପରିବାରରେ କାନ୍ଦ ବୋବାଳି ପଡିଯାଇଛି ।
ସୂଚନାଯୋଗ୍ୟ ଯେ, ଖରସ୍ରୋତା ଓ କାଣୀ ନଦୀରେ ଚଳିତ ବର୍ଷ ଦୁଇ ଦୁଇଥର ବନ୍ୟା ଆସି କଳମଡ଼ା ଶାସନ ଗାଁକୁ ଜଳବନ୍ଦୀ କରି ରଖିଛି । ଲୋକଙ୍କ ପାଖରେ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପାଇଁ ଜୀବନକୁ ପାଣି ଛଡ଼ାଇ ସେମାନେ ଏଭଳି ବନ୍ୟା ପାଣିରେ ପଶି ଯାତାୟାତ କରୁଛନ୍ତି । ଅନ୍ୟପକ୍ଷରେ ସେହି ଅଂଚଳରେ ଭିତର କନିକ ଅଭୟାରଣ୍ୟରୁ ମୁକୁଳି ଆସିଥିବା କୁମ୍ଭୀର ମଧ୍ୟ ମାଳମାଳ ଭାସୁଥିବା ଦେଖିବାକୁ ମିଳୁଛି । ଲୋକେ ସରକାରୀ ସାହାଯ୍ୟକୁ ଚାହିଁ ବସିଥିବା ବେଳେ ଯାହା ମିଳୁଛି, ତାହା ସମୁଦ୍ରକୁ ଶଂଖେ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସୀତାକାନ୍ତଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀମାନେ ଦାବି ଜଣାଇଛନ୍ତି।
