ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ୩ଦିନ ହେଲା ସାରା ରାଜ୍ୟରେ ଲଗାଣ ବର୍ଷା ହେଉଛି। ଏହାରି ଫଳରେ କେଉଁଠି ଘରେ ପାଣି ପଶି ଜିନିଷପତ୍ର ବୁଡିଲାଣି ତ ଆଉ କେଉଁଠି ପାଣି ଘେରରେ ଲୋକେ ରହିଛନ୍ତି। ଗାଁରୁ ସହର ସବୁଠି ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। ଅନ୍ୟପଟେ ଲଗାଣ ବର୍ଷରେ ଋଷିକୁଲ୍ୟା, ବଂଶଧାରା ଏବଂ ବୈତରଣୀ ଫୁଲିବାରେ ଲାଗିଛି। ଉପରମୁଣ୍ଡରେ ବର୍ଷା ସହ ମହାନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି। ହୀରାକୁଦ ଜଳଭଣ୍ଡାରକୁ ଗତକାଲି ରାତି ୯ଟାରେ ସେକେଣ୍ଡ ପିଛା ୩୬,୯୦୮ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ଆଜି ରାତି ୯ଟା ସୁଦ୍ଧା ଏହା ପ୍ରାୟ ଦୁଇଗୁଣ ୭୬,୦୫୩ ଘନଫୁଟ ଜଳ ପ୍ରବେଶ କରୁଥିବା ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ସୂଚନା ଦିଆଯାଇଛି। ସେହିପରି ଗତକାଲି ଜଳସ୍ତର ୬୦୧.୯୭ ଫୁଟରୁ ବୃଦ୍ଧି ପାଇ ଆଜି ରାତି ୯ଟାରେ ଏହା ୬୦୨.୭୫ ଫୁଟରେ ପହଞ୍ଚିଛି। ୩ ତାରିଖରେ ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୦.୯୧ ଫୁଟ ରହିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୨୯,୯୮୬ କ୍ୟୁସେକ ଜଳ ପ୍ରବେଶ କରୁଥିଲା। ସୂଚନା ଯେ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା
୬୩୦ ଫୁଟ। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବଢ଼ୁଥିଲେ ମଧ୍ୟ ବନ୍ୟା ଆସିବାର ଆଶଙ୍କା ନାହିଁ ବୋଲି ବିଭାଗ ପକ୍ଷରୁ ପ୍ରକାଶ କରାଯାଇଛି।
ବଢ଼ୁଛି ମହାନଦୀ
