ବଣାଇ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗଣିଘସା ଗ୍ରାମରେ ଶନିବାର ସକାଳେ ଜଣେ ଯୁବକଙ୍କୁ ଦୁଇ ଜଣ ମୁହଁରେ ମାସ୍କ ପିନ୍ଧିଥିବା ଯୁବକ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ଗୁରୁତର ଆହତ ଯୁବକ କାହ୍ନୁ ଚରଣ ମହାନ୍ତ ବୋଲି ଚିହ୍ନଟ କରାଯାଇଛି। ସେ ବନ ବିଭାଗ ସହ ସଂପୃକ୍ତ ଜଣେ ଗଜସାଥୀ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ପ୍ରଥମେ ତାଙ୍କୁ ଲହୁଣୀପଡ଼ା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ର ବର୍ଣ୍ଣ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେ ସେଠାରେ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।
ପ୍ରାଥମିକ ସୂଚନା ଅନୁସାରେ, କାହ୍ନୁ ଚରଣ ମହାନ୍ତ ନିକଟସ୍ଥ ବସ୍ଷ୍ଟାଣ୍ଡ ଆଡ଼କୁ ଯାଉଥିବା ସମୟରେ ଦୁଇ ଜଣ ଯୁବକ ଏକ ମୋଟର ସାଇକେଲରେ ତାଙ୍କ ପଛପଟୁ ଆସିଥିଲେ। ଅଭିଯୋଗ ଅନୁଯାୟୀ, ସେମାନେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ନିଆଁରେ ଜଳୁଥିବା ବେଳେ ଯୁବକଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳକୁ ଦୌଡ଼ି ଆସି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଆକ୍ରମଣର ପ୍ରକୃତ କାରଣ ଏବଂ ଅଭିଯୁକ୍ତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ ଆରମ୍ଭ କରି ପୁଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଛି। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସହ ଉଦ୍ବେଗ ପ୍ରକାଶ ପାଇଛି। ଆକ୍ରମଣ ପଛରେ କୌଣସି ପୂର୍ବ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ପୁଲିସ ତଦନ୍ତ ଚଳାଇଛି।
ପେଟ୍ରୋଲ ଢାଳି ଯୁବକଙ୍କୁ ଜାଳିଦେଲେ, ଅବସ୍ଥା ଗୁରୁତର
