ପାକିସ୍ତାନ ଟାର୍ଗେଟରେ ହିନ୍ଦୁ ମନ୍ଦିର; ମାଟିିରେ ମିଶାଇଲା ୧୦୦ବର୍ଷର ମନ୍ଦିର

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ଶହ ବର୍ଷରୁ ଅଧିକ ପୁରୁଣା ହିନ୍ଦୁ ମନ୍ଦିରକୁ ଭାଙ୍ଗିଦିଆଯାଇଛି। ଏହି ମନ୍ଦିର ଭଙ୍ଗାଯିବା ଘଟଣାକୁ ଭାରତ ଦୃଢ଼ ଶବ୍ଦରେ ନିନ୍ଦା କରିଛି। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଏହାକୁ ସଂଖ୍ୟାଲଘୁଙ୍କ ନିରାପତ୍ତା ପ୍ରତି ପାକିସ୍ତାନର ଏକ ବଡ଼ ବିଫଳତା ବୋଲି ଆଖ୍ୟା ଦେଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶସ୍ଥିତ ନାରୋୱାଲ ଜିଲାର ସିରାଜ ଗ୍ରାମରେ ଥିବା ପ୍ରାୟ ୧୦୦ ରୁ ୧୨୫ ବର୍ଷ ପୁରୁଣା ଏକ ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯାଇଛି। ମନ୍ଦିର ନିକଟସ୍ଥ ଏକ ମଦ୍ରାସାର ସମ୍ପ୍ରସାରଣ ପାଇଁ ମନ୍ଦିରକୁ ଭଙ୍ଗାଯାଇ ଜମି ହଡ଼ପ କରାଯାଇଥିବା ସ୍ଥାନୀୟ ଅଳ୍ପସଂଖ୍ୟକ ସମ୍ପ୍ରଦାୟ ଓ ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି। ଭାରତ କହିଛି ଯେ ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ (ହିନ୍ଦୁ, ଶିଖ୍ ଓ ଖ୍ରୀଷ୍ଟିୟାନ୍) ଏବଂ ସେମାନଙ୍କର ଧାର୍ମିକ ସ୍ଥଳଗୁଡ଼ିକ ଆଦୌ ସୁରକ୍ଷିତ ନୁହଁନ୍ତି। ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ମନ୍ଦିରର ପୁନଃନିର୍ମାଣ ପାଇଁ ଭାରତ ଦାବି କରିଛି। ଅନ୍ୟପଟେ, ପାକିସ୍ତାନର ‘ଇଭାକ୍ୟୁ ଟ୍ରଷ୍ଟ ପ୍ରପର୍ଟି ବୋର୍ଡ’ ଓ ପ୍ରଶାସନ ଦାବି କରିଛନ୍ତି ଯେ ମନ୍ଦିରଟିକୁ କେହି ଭାଙ୍ଗି ନାହାନ୍ତି, ବରଂ ପ୍ରବଳ ବର୍ଷା ଯୋଗୁଁ ଏହା ଆପେ ଆପେ ଭାଙ୍ଗି ପଡ଼ିଛି। ସ୍ଥାନୀୟ ହିନ୍ଦୁ ନେତାମାନେ ପାକିସ୍ତାନ ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିବା ସହ ଅପରାଧୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *