କଲ୍ୟାଣସିଂହପୁର : କୁରକୁରି ଖାଇ ଜଣେ ୨ ବର୍ଷ ୩ ମାସର ଶିଶୁକନ୍ୟା ଅସୁସ୍ଥ ହୋଇ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥ ଶିଶୁକନ୍ୟା ଜଣକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ହାଜାରୀଡାଙ୍ଗ ଗାଁର ପବିତ୍ର ହୁଇକାଙ୍କ ଝିଅ ତପସ୍ୟା ହୁଇକା। ପରିବାର ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ପବିତ୍ର ହୁଇକା ହାଟକୁ ଯାଇଥିବାବେଳେ ତାଙ୍କ ଶିଶୁକନ୍ୟା ପାଇଁ କିଛି କୁରକୁରି କିଣି ଆଣିଥିଲେ। ତେବେ କୁରକୁରି ଖାଇବାର କିଛି ସମୟ ପରେ ଶିଶୁକନ୍ୟା ଅସୁସ୍ଥ ଅନୁଭବ କରିଥିବା ପରିବାର ଲୋକେ କହିଛନ୍ତି। ଏହାପରେ ପରିବାର ଲୋକେ ତୁରନ୍ତ ତପସ୍ୟାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ବର୍ତ୍ତମାନ ଶିଶୁକନ୍ୟା ଜଣକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା କାର୍ଯ୍ୟରତ ଡାକ୍ତର ସମ୍ୟରଞ୍ଜନ ଜେନା ସୂଚନା ଦେଇଛନ୍ତି। ତେବେ କୁରକୁରି ଖାଇବା ଯୋଗୁଁଁ ଶିଶୁକନ୍ୟା ଅସୁସ୍ଥ ହୋଇଛନ୍ତି କି ଅନ୍ୟ କୌଣସି କାରଣ ରହିଛି ତାହା ଚିକିତ୍ସା ଓ ଯାଞ୍ଚ ପରେ ସ୍ପଷ୍ଟ ହେବ। ଚିକିତ୍ସା ପରେ ଶିଶୁକନ୍ୟାର ସ୍ୱାସ୍ଥ୍ୟ ଅବସ୍ଥା ଠିକ ହେବାପରେ ପରିବାର ତପସ୍ୟାକୁ ଘରକୁ ନେଇଥିବା ଜଣାପଡ଼ିଛି।
କୁରକୁରି ଖାଇ ଶିଶୁକନ୍ୟା ଅସୁସ୍ଥ!
