ପୁରୀ,: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଅର୍ଥାତ ଗୁରୁବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ଏଥିପାଇଁ ରଥ, ପଥ, ଭକ୍ତ ଏବଂ ସେବାୟତ ସମସ୍ତେ ପ୍ରସ୍ତୁତ ରହିଥିବା ବେଳେ କେବଳ ମହାପ୍ରଭୁଙ୍କୁ ଅପେକ୍ଷା। ମହାବାହୁ ଶ୍ରୀମନ୍ଦିର ଛାଡ଼ି ଭକ୍ତଙ୍କୁ ଦର୍ଶନଦେବା ନିମନ୍ତେ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ। ଭାଇଭଉଣୀଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ନବଦିନାତ୍ମକ ଯାତ୍ରା କରିବେ। ଜାତି, ଧର୍ମ, ବର୍ଣ୍ଣ, ନିର୍ୱିଶେଷରେ ରଥାରୂଢ଼ ଦାରୁଦିଅଁଙ୍କ ଦର୍ଶନ କରି କୃତାର୍ଥ ହେବେ ଭକ୍ତ। ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାରେ ସାମିଲ ହେବା ନିମନ୍ତେ ଭକ୍ତଙ୍କ ସୁଅ ଶ୍ରୀକ୍ଷେତ୍ରକୁ ଛୁଟିଛି। ରଥଯାତ୍ରାରେ ସାମିଲ ହେବା ନିମନ୍ତେ ସମସ୍ତ ଭକ୍ତଙ୍କ ମନରେ ଉତ୍ସାହ ଓ ଉଲ୍ଲାସ ଭରି ରହିଛି।
ଏହି କ୍ରମରେ ପରମ୍ପରା ଅନୁଯାୟୀ, ବୁଧବାର ପ୍ରତିପଦା ତିଥିରେ ରଥଖଳାରୁ ତିନିରଥ ଟଣାହୋଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଆସିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସକାଳଧୂପ ସମ୍ପନ୍ନ ହେବା ପରେ ଅପରାହ୍ନ ୧ଟା ୧୦ରେ ରଥ ନିକଟକୁ ଆଜ୍ଞାମାଳ ବିଜେ ହୋଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ, ପରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଆଜ୍ଞାମାଳ ବିଜେ କରାଯାଇଥିଲା। ଭୋଇ ସେବକମାନେ ରଥରେ ଦଉଡ଼ି ସଂଯୋଗ କରିଥିଲେ। ତାଳଧ୍ୱଜ ରଥରେ ବିଜେ କାହାଳୀ ଦିଆଯିବା ପରେ ପରମ୍ପରା ଅନୁଯାୟୀ, ପ୍ରଥମେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ଟଣାଯାଇଥିଲା। ପରେ ଦେବଦଳନ ଏବଂ ଶେଷରେ ତାଳଧ୍ୱଜ ରଥକୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚାଯାଇଛି। ସିଂହଦ୍ୱାର ସମ୍ମୁଖରେ ଲାଗିବା ପରେ ତିନିରଥ ଚାରିପଟେ ପୋଲିସ ପକ୍ଷରୁ ଲୁହା ବ୍ୟାରିକେଡ୍ ଦ୍ୱାରା ଆବଦ୍ଧ କରାଯାଇଥିଲା। ରଥଯାତ୍ରା ପାଇଁ ପୁରୀ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।
ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା
