ଆମେରିକା ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ତୀବ୍ରତର

ୱାଶିଂଟନ/ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଲାଗିଥିବା ଯୁଦ୍ଧ ଉଗ୍ରରୂପ ଧାରଣ କରିଛି। ସୋମବାର ଦୁଇ ଦେଶ ପରସ୍ପର ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ଇରାନର ସାମରିକ ବାହିନୀ ‘ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ’ (ଆଇଆରଜିସି) ପାରସ୍ୟ ଉପସାଗରୀୟ ଦେଶରେ ଥିବା ଆମେରିକାର ଏକାଧିକ ସାମରିକ ଘାଟିଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବା ଦାବି କରିଛି। ଇରାନ ଏହାକୁ ‘ଆଇ ଫର ଆନ ଆଇ’ (ଆଖି ବଦଳରେ ଆଖି) ଅଭିଯାନ ବୋଲି କହିଛି। ଯାହା ଆମେରିକା ଦ୍ୱାରା ନିକଟରେ ଇରାନ ଉପରେ କରାଯାଇଥିବା ଆକ୍ରମଣର ପ୍ରତିଶୋଧ ଅଟେ। ଆଇଆରଜିସି ଦାବି କରିଛି ଯେ, କୁଏତରେ ଥିବା ଆମେରିକାର ‘ଅଲୀ ଅଲ୍ ସାଲେମ୍’ ବିମାନ ଘାଟି ଉପରେ ଆକ୍ରମଣ କରି ସେଠାରେ ଥିବା ପାଟ୍ରିଅଟ୍ ଏୟାର ଡିଫେନ୍ସ ସିଷ୍ଟମ୍ ଓ ତୈଳ ଭଣ୍ଡାରଗୁଡିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିଦିଆଯାଇଛି। ଏହା ସହିତ କୁଏତର ‘ଅହମ୍ମଦ ଅଲ୍ ଜାବର’ ବିମାନ ଘାଟିରେ ଥିବା ଆମେରିକାର ରେଡାର୍ ସିଷ୍ଟମକୁ ମଧ୍ୟ ନଷ୍ଟ କରାଯାଇଥିବା ଇରାନ କହିଛି। ଓମାନରେ ଥିବା ଆମେରିକାର ରେଡାର୍ ଓ ସର୍ଭେଲାନ୍ସ ସିଷ୍ଟମକୁ ମଧ୍ୟ ଇରାନ ଟାର୍ଗେଟ କରିଛି। ଇରାନ ଏହି ଅପରେସନକୁ ୩ଟି ପର୍ଯ୍ୟାୟରେ କରିଥିଲା। ପ୍ରଥମ ପର୍ଯ୍ୟାୟରେ ଜୋର୍ଡାନର ‘ପ୍ରିନ୍ସ ହାସନ’ ବିମାନ ଘାଟିର ଇନ୍ଧନ ଓ ଗୋଳାବାରୁଦ ଡିପୋକୁ ଟାର୍ଗେଟ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବାହାରିନର ‘ଶେଖ ଈସା’ ବିମାନ ଘାଟିରେ ଥିବା ଆମେରିକାର କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ଓ ହେଲିକପ୍ଟର ମେଣ୍ଟେନାନ୍ସ ହାଙ୍ଗର ଉପରେ ଆକ୍ରମଣ କରାଯାଇଥିଲା। ତୃତୀୟ ପର୍ଯ୍ୟାୟରେ କୁଏତ ଉପରେ ଆକ୍ରମଣ ହୋଇଥିଲା। ବାହାରିନ, ଜୋର୍ଡାନ ଓ ୟୁଏଇରେ ଥିବା ଏୟାର ଡିଫେନ୍ସ ସିଷ୍ଟମ ଇରାନ ପକ୍ଷରୁ ଆସୁଥିବା ଅଧିକାଂଶ ଡ୍ରୋନ୍ ଓ କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ନଷ୍ଟ କରିଦେଇଥିବାରୁ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ।

Leave a Reply

Your email address will not be published. Required fields are marked *