ମଦ୍ୟପଙ୍କୁ ପାଣି ଗ୍ଲାସ, ଚାଖନା ବାଣ୍ଟିଲେ ମହିଳା

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲାର ସର୍ବବୃହତ ଉପଖଣ୍ଡ ଟିଟିଲାଗଡ଼ ସହରର ଘନ ଜନବସତି ପୂର୍ଣ୍ଣ ହାଇସ୍କୁଲ ପଡା ଠାରେ ସରକାରଙ୍କ ପକ୍ଷରୁ ନୂତନ ବିଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ପଡାବାସୀଙ୍କ ତୀବ୍ର ବିରୋଧ ସତ୍ୱେ ଗତ ତିନି ଦିନ ତଳେ ମଦ ଦୋକାନ ପ୍ରଶାସନ ପକ୍ଷରୁ ବଳପୂର୍ବକ ଖୋଲାଯାଇଛି। ଏହାକୁ ନେଇ ଦୁଇ ଦିନ ତଳେ ପଡାବାସୀ ଜାତୀୟ ରାଜପଥରେ ରାସ୍ତାରୋକ ସହ ପ୍ରତିବାଦ କରିଥିଲେ। ହେଲେ ଏହାକୁ ପ୍ରଶାସନ ଖାତିର କରିନଥିବା ସହ ମଦ ଦୋକାନ ଖୋଲା ରହିବା ନେଇ ପଡ଼ାର ମହିଲା ଆଜି ଅଭିନବ ପ୍ରତିବାଦ କରିଥିଲେ। ମହିଲା ମାନେ ମଦ ଦୋକାନକୁ ଆସୁଥିବା ଗ୍ରାହକଙ୍କୁ ସ୍ୱାଗତ ପାଇଁ ଫୁଲମାଳ, ଚନ୍ଦନ, ପାଣି, ଗ୍ଲାସ, ଚାଖନା ଆଦି ଧରି ମଦ ଦୋକାନରେ ବସି ରହିଥିବା ଦେଖାଯାଇଥିଲା। ସକାଳୁ ଦୋକାନ ଖୋଲିବା ପରଠାରୁ ମହିଲାଙ୍କ ଏଭଳି ପ୍ରତିବାଦ ନେଇ ମଦ୍ୟପ ଅପ୍ରସ୍ତୁତ ହୋଇପଡ଼ିଥିଲେ।କିଛି ମଦ୍ୟପ ଆସିଥିବା ବେଳେ ସେମାନଙ୍କୁ ଫୁଲମାଳ ସହ ମହିଲା ସ୍ୱାଗତ କରିଥିଲେ। ଏଭଳି ଅଭିନବ ପ୍ରତିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ଜାରୀ ରହିଥିବା ବେଳେ ପ୍ରଶାସନ ପକ୍ଷରୁ କେହି ଅଦ୍ୟାବଧି ପହଞ୍ଚିନଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *