ମାଞ୍ଚେଷ୍ଟର: ପ୍ରତୀକ୍ଷାର ଅନ୍ତ ଘଟିଛି। କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଭାରତୀୟ ସିନିୟର ଦଳ ପକ୍ଷରୁ ଅନ୍ତର୍ଜାତୀୟ ପଦାର୍ପଣ ସହ ଇତିହାସ ସୃଷ୍ଟି କରିଛନ୍ତି। ସର୍ବକନିଷ୍ଠ ପୁରୁଷ ଭାରତୀୟ କ୍ରିକେଟର ଭାବେ ବୈଭବ ଅନ୍ତର୍ଜାତୀୟ ପଦାର୍ପଣ କରି କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ କୀର୍ତ୍ତିମାନକୁ ଭାଙ୍ଗିଛନ୍ତି। ଶନିବାର ମାଞ୍ଚେଷ୍ଟରରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି୨୦ରେ ବୈଭବ ପଦାର୍ପଣ କରିଥିଲେ। ବୈଭବ ଭାରତୀୟ ଦଳର ଉପ ଅଧିନାୟକ ତିଳକ ବର୍ମାଙ୍କ ହାତରୁ ପଦାର୍ପଣ ଟୋପି ଗ୍ରହଣ କରିଥିଲେ। ୧୨୨ତମ ଭାରତୀୟ ଖେଳାଳି ଭାବେ ବୈଭବ ଟ୍ବେଣ୍ଟି୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ବୈଭବଙ୍କୁ ସଞ୍ଜୁ ସାମସନଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ସେ ଅଭିଷେକ ଶର୍ମାଙ୍କ ସହ ଓପନିଂ କରିବାକୁ ଓହ୍ଲାଇଥିଲେ। ବୈଭବ ୧୦ଟି ବଲ ଖେଳି ୨ଟି ଛକା ସହ ୧୪ରନ କରି ୱିଲ ଜ୍ୟାକ୍ସଙ୍କ ବଲରେ ଷ୍ଟମ୍ପ୍ଡ ହୋଇଥିଲେ।
ବୈଭବ ୧୫ ବର୍ଷ ୯୯ ଦିନରେ ପଦାର୍ପଣ କରି ଭାରତର ସର୍ବକନିଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ପାଲଟିଛନ୍ତି। ସଚିନ ତେନ୍ଦୁଲକର ୧୯୮୯ ନଭେମ୍ବର ୧୫ରେ ୧୬ ବର୍ଷ ୨୦୫ ଦିନରେ ପାକିସ୍ତାନ ବିପକ୍ଷରେ ଦିିନିକିଆ ଖେଳି ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ବୈଭବ ଦୀର୍ଘ ୩୭ ବର୍ଷ ପରେ ଉକ୍ତ କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି। ଅନ୍ୟପକ୍ଷରେ ବୈଭବ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ପଦାର୍ପଣ କରିବାରେ ଭାରତୀୟ ଭାବେ ମଧ୍ୟ ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। ୱାଶିଂଟନ ସୁନ୍ଦର ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୧୮ ବର୍ଷ ୮୦ ଦିନରେ ସର୍ବକନିଷ୍ଠ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ଖେଳିଥିଲେ। ୱାଶିଂଟନଙ୍କ ଉକ୍ତ କୀର୍ତ୍ତିମାନକୁ ବୈଭବ ମଧ୍ୟ ଭାଙ୍ଗିଛନ୍ତି। ୨୦୧୧ ମାର୍ଚ୍ଚ ୨୭ରେ ବିହାରର ସମସ୍ତିପୁର ଜିଲା ତେଜପୁରର ମାଥିଲିରେ ଜନ୍ମିତ ବୈଭବ ୨୦୨୪ରେ ମାତ୍ର ୧୩ ବର୍ଷ ବୟସରେ ପ୍ରଥମ ଶ୍ରେଣୀ କ୍ରିକେଟ ପଦାର୍ପଣ କରିଥିଲେ। ସର୍ବକନିଷ୍ଠ ଭାରତୀୟ ଭାବେ ଲିଷ୍ଟ-ଏ ଖେଳିବାର କୃତିତ୍ବ ବୈଭବ ହାସଲ କରିଥିଲେ। ବାମହାତି ଓପନର ମାତ୍ର ଦୁଇ ବର୍ଷ ଭିତରେ ଜୁନିୟର କ୍ରିକେଟରେ ଏକାଧିକ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ୧୯ ବର୍ଷରୁ କମ୍ ଦିିନିକିଆ ବିଶ୍ବକପ-୨୦୨୬ରେ ଇଂଲଣ୍ଡ ବିପକ୍ଷ ଫାଇନାଲରେ ବୈଭବ ୮୦ଟି ବଲରୁ ୧୭୫ରନ କରିବା ସହ ଭାରତକୁ ଚମ୍ପିଆନ କରାଇବାରେ ବଡ଼ ଭୂମିକା ତୁଲାଇଥିଲେ। ସୂର୍ଯ୍ୟବଂଶୀ ଆଇପିଏଲ-୨୦୨୬ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ୧୬ଟି ମ୍ୟାଚ ଖେଳି ଗୋଟିଏ ଶତକ, ୫ଟି ଅର୍ଦ୍ଧଶତକ ସହ ୪୮.୫୦ ଆଭରେଜରେ ସର୍ବାଧିକ ୭୭୬ ରନ୍ କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ୭୨ଟି ଛକା ମାରି କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଉକ୍ତ ପ୍ରଦର୍ଶନ ବଳରେ ତାଙ୍କୁ ଆର୍ୟରଲାଣ୍ଡ ଓ ଇଂଲଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ଭାରତୀୟ ସିନିୟର ଦଳରେ ସ୍ଥାନ ମିଳିଥିଲା। ଆୟରଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳାରେ ତାଙ୍କୁ ପଦାର୍ପଣ ସୁଯୋଗ ମିଳିନଥିଲା। ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍ରେ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ନ ମିଳିବାରୁ ବେଶ୍ ସମାଲୋଚନା କରା ଯାଇଥିଲା। ଶେଷରେ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରି ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।
ସଚିନଙ୍କ ୩୭ ବର୍ଷର କୀର୍ତ୍ତିମାନ ଭାଙ୍ଗିଲେ ବୈଭବ
