ବୈଦ୍ୟୁତିକ ଯାନ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ପ୍ରଦୂଷଣ ନିୟନ୍ତ୍ରଣ କରିବା ଏବଂ ବୈଦ୍ୟୁତିକ ଯାନ (ଇଭି)କୁ ପ୍ରୋତ୍ସାହନ ଦେବା ପାଇଁ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସୋମବାର ଦିଲ୍ଲୀ ସରକାର ନୂତନ ‘ଦିଲ୍ଲୀ ଇଭି ପଲିସି ୨.୦’ କୁ ମଞ୍ଜୁରୀ ଦେଇଛନ୍ତି, ଯାହା ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ। ଏହି ନିୟମ ଅଧୀନରେ ଇଭି କ୍ରେତାମାନଙ୍କୁ ବଡ଼ ରିଆତି ମିଳୁଥିବା ବେଳେ ପେଟ୍ରୋଲ ଗାଡ଼ି ଉପରେ କଡ଼ା କଟକଣା ଲଗାଯାଇଛି। ନୂଆ ନିୟମ ଅନୁଯାୟୀ ୩୦ ଲକ୍ଷ କିମ୍ବା ତା’ଠାରୁ କମ୍ ଦାମର ଇଲେକ୍‌ଟ୍ରିକ୍ କାର୍‌ ଉପରୁ ୧୦୦% ରୋଡ୍ ଟ୍ୟାକ୍ସ ଏବଂ ପଞ୍ଜୀକରଣ ଫି ଛାଡ଼ କରାଯାଇଛି। ଏହି ସୁବିଧା ମାର୍ଚ୍ଚ ୩୧, ୨୦୩୦ ପର୍ଯ୍ୟନ୍ତ ଉପଲବ୍ଧ ହେବ। ସେହିପରି ୨୦୨୮ ଏପ୍ରିଲ ୧ରୁ ଦିଲ୍ଲୀରେ କୌଣସି ନୂଆ ପେଟ୍ରୋଲ କିମ୍ବା ସିଏନଜି ଚାଳିତ ଦୁଇଚକିଆ ଯାନର ପଞ୍ଜୀକରଣ ହେବ ନାହିଁ।ଅର୍ଥାତ୍ ଏହି ସମୟ ପରେ କେବଳ ଇଲେକ୍ଟ୍ରିକ୍ ବାଇକ୍ ଏବଂ ସ୍କୁଟର ହିଁ ପଞ୍ଜୀକୃତ ହୋଇପାରିବ। ୨୦୨୭ ଜାନୁଆରୀ ୧ରୁ ଦିଲ୍ଲୀରେ କେବଳ ଇଲେକ୍‌ଟ୍ରିକ୍ ଅଟୋ ଏବଂ ଏନ-୧ ବର୍ଗର ମାଲବାହୀ ଇଲେକ୍‌ଟ୍ରିକ ଗାଡ଼ିର ପଞ୍ଜୀକରଣ କରାଯିବ। ଇଲେକ୍‌ଟ୍ରିକ ଦୁଇଚକିଆ ଗାଡ଼ି କିଣିଲେ ପ୍ରଥମ ବର୍ଷ ୩୦,୦୦୦ ଟଙ୍କା, ଦ୍ୱିତୀୟ ବର୍ଷ ୨୦,୦୦୦ ଟଙ୍କା ଏବଂ ତୃତୀୟ ବର୍ଷ ୧୦,୦୦୦ ଟଙ୍କାର ସବସିଡି ମିଳିବ। ଇଲେକ୍ଟ୍ରିକ୍ ଅଟୋ କ୍ରେତାଙ୍କୁ ପ୍ରଥମ ବର୍ଷ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ଯଦି କେହି ନିଜର ପୁରୁଣା (ବିଏସ୍‌-୪ କିମ୍ବା ତା’ଠାରୁ ପୁରୁଣା) ଚାରିଚକିଆ ଗାଡ଼ିକୁ ସ୍କ୍ରାପ୍ (ଭାଙ୍ଗିବା) କରି ନୂଆ ଇଲେକ୍ଟ୍ରିକ୍ ଗାଡ଼ି କିଣନ୍ତି, ତେବେ ସେମାନଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ମିଳିବ। ଦିଲ୍ଲୀ ସରକାର ସ୍ପଷ୍ଟ କରିଛନ୍ତି ଯେ ହାଇବ୍ରିଡ୍ କାର୍ ଉପରେ କୌଣସି ଟ୍ୟାକ୍ସ ଛାଡ଼ କିମ୍ବା ସବସିଡି ମିଳିବ ନାହିଁ। ସରକାର ସମ୍ପୂର୍ଣ୍ଣ ରୂପେ ଜିରୋ-ଇମିସନ୍ ବା ଶୂନ୍ୟ-ନିର୍ଗମନ କରୁଥିବା ବୈଦ୍ୟୁତିକ ଯାନକୁ ହିଁ ଗୁରୁତ୍ୱ ଦେଉଛନ୍ତି। ଏହି ସମଗ୍ର ଯୋଜନା ଓ ଭିତ୍ତିଭୂମିର ବିକାଶ ପାଇଁ ସରକାର ୧୫,୦୦୦ କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛନ୍ତି ଏବଂ ସହରରେ ପ୍ରାୟ ୩୨,୦୦୦ ଚାର୍ଜିଂ ପଏଣ୍ଟ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *