ଗଜପତିର ବନ୍ୟା ବିପନ୍ନଙ୍କ ଦୁଃଖ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସହ ପାରଳା ବିଧାୟକଙ୍କ ଆଲୋଚନା

ପାରଳାଖେମୁଣ୍ଡି,30/10(ତାରିଣୀ ପ୍ରସାଦ ପଣ୍ଡା): ଅର୍ଣ୍ଣବ ବାତ୍ୟାର ତାଣ୍ଡବରେ ଗଜପତି ଜିଲ୍ଲା ଛାରଖାର ହୋଇପଡ଼ିଛି. ଗଜପତିର ବନ୍ୟା ବିପନ୍ନଙ୍କ ଦୁଃଖ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ମୋବାଇଲ ଦ୍ୱାରା ଆଲୋଚନା କରି ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି. ପାରଳା ବିଧାୟକ ମନ୍ତ୍ରୀଙ୍କୁ ଜଣାଇଛନ୍ତିଯେ, ଲଗାଣ ବର୍ଷା ଓ ବନ୍ୟାର ପ୍ରଭାବରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଥିବା ବେଳେ ଚାଷୀଙ୍କ ବର୍ଷକର ପରିଶ୍ରମ ଆଜି ପାଣିରେ ମିଶିଯାଇଛି। କେଉଁଠି ଧାନ ଫସଲ ପାଣି ତଳେ ବୁଡ଼ି ରହିଛି ତ ଆଉ କେଉଁଠି ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଭଳି ବିପତ୍ତି ସମୟରେ ଚାଷୀ ଓ ବନ୍ୟା ବିପନ୍ନଙ୍କ ଦୁଃଖ, ଦୁର୍ଦ୍ଦଶା ଏବଂ ଜିଲ୍ଲାର ବାସ୍ତବ ପରିସ୍ଥିତିକୁ ରାଜ୍ୟ ସରକାରଙ୍କ ନଜରକୁ ଆଣିଛନ୍ତି ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ। ଏହି ପରିପ୍ରେକ୍ଷୀରେ ବିଧାୟକ ରୂପେଶ ପାଣିଗ୍ରାହୀ ଚାଷୀମାନଙ୍କ ଉପସ୍ଥିତିରେ ଫୋନ୍ ଯୋଗେ ରାଜସ୍ୱ ମନ୍ତ୍ରୀଙ୍କ ସହ ଆଲୋଚନା କରି ଗଜପତି ଜିଲ୍ଲାର ବନ୍ୟାଜନିତ କ୍ଷୟକ୍ଷତି ଓ ଲୋକଙ୍କ ଦୁରବସ୍ଥା ବିଷୟରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଆଲୋଚନା ସମୟରେ ବିଧାୟକ ଜଣାଇଥିଲେ ଯେ, ଜିଲ୍ଲାରେ ପ୍ରାୟ ୭୦ ପ୍ରତିଶତ ଫସଲ ନଷ୍ଟ ହୋଇଥିବାରୁ ଚାଷୀମାନେ ଏବେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ମୁଣ୍ଡର ଝାଳ ତୁଣ୍ଡରେ ମାରି ଯେଉଁ ଚାଷୀ ନିଜ ପରିବାରର ଭବିଷ୍ୟତ ପାଇଁ ଫସଲ ଅମଳ ଆଶାରେ ଥିଲେ, ଆଜି ସେହି ଫସଲ ଜଳମଗ୍ନ ହୋଇ ନଷ୍ଟ ହେବା ତାଙ୍କ ପାଇଁ ଅସହ୍ୟ ଯନ୍ତ୍ରଣା ପାଲଟିଛି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଚିହ୍ନଟ କରି ଉପଯୁକ୍ତ କ୍ଷତିପୂରଣ ଓ ଆବଶ୍ୟକ ସହାୟତା ଯୋଗାଇଦେବାକୁ ସେ ମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ।
କେବଳ ଚାଷୀ ନୁହନ୍ତି, ବନ୍ୟା ଘେରରେ ରହିଥିବା ଅନେକ ଗ୍ରାମର ସାଧାରଣ ଲୋକଙ୍କ ଅବସ୍ଥା ମଧ୍ୟ ଅତ୍ୟନ୍ତ ଚିନ୍ତାଜନକ ବୋଲି ବିଧାୟକ ଜଣାଇଥିଲେ। ଚାରିପାଖରେ ପାଣି ଘେରି ରହିଥିବାରୁ ଲୋକମାନେ ନିଜ ଘରୁ ବାହାରିବାକୁ ମଧ୍ୟ ଅସମର୍ଥ ହେଉଛନ୍ତି। ପିଇବା ପାଣିର ଅଭାବ ସହ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ମିଳିବାରେ ମଧ୍ୟ ସମସ୍ୟା ଦେଖାଦେଇଛି। ଏଭଳି ପରିସ୍ଥିତିରେ ଅସହାୟ ପରିବାର, ବୃଦ୍ଧବୃଦ୍ଧା, ଶିଶୁ ଓ ମହିଳାମାନଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଯାଇଛି।
ବିଧାୟକଙ୍କ ଏହି ଅନୁରୋଧ ଓ ଜିଲ୍ଲାର ଗମ୍ଭୀର ସ୍ଥିତିକୁ ଗୁରୁତ୍ୱ ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଚଳିତ ସପ୍ତାହ ମଧ୍ୟରେ ଗଜପତି ଜିଲ୍ଲା ଗସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଏହି ଗସ୍ତ ସମୟରେ ସେ କ୍ଷତିଗ୍ରସ୍ତ ଅଞ୍ଚଳ, ଚାଷଜମି ଓ ବନ୍ୟା ବିପନ୍ନଙ୍କ ସମସ୍ୟାକୁ ନିକଟରୁ ଅନୁଧ୍ୟାନ କରି ନିଶ୍ଚିତ ଭାବେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ରାଜସ୍ୱ ମନ୍ତ୍ରୀ ଶ୍ରୀ ପୂଜାରୀ ବିଧାୟକଙ୍କୁ ଜଣାଇଥିବା ସୂଚନା ମିଳିଛି.

Leave a Reply

Your email address will not be published. Required fields are marked *