ପାରଳାଖେମୁଣ୍ଡି, 22/10(ତାରିଣୀ ପ୍ରସାଦ ପଣ୍ଡା): ପ୍ରାଚୀନ କାଳରୁ ତଥା ପାରଳାର ଖ୍ୟାତନାମା ଗଜପତି ରାଜବଂଶୀୟ ରାଜରାଜୁଡା ଶାସନ ଅମଳରୁ ସଙ୍ଗୀତ, କଳା, ସାହିତ୍ୟ, ନାଟକ ଆଦି ସମସ୍ତ କ୍ଷେତ୍ରରେ ପାରଳାଖେମୁଣ୍ଡି ସ୍ୱତନ୍ତ୍ର ପରିଚୟ ରହିଆସିଛି. ଏହି ପାରଳାଖେମୁଣ୍ଡିର ଯୁବକ ସ୍ୱସ୍ତିକ ପାଢ଼ୀ ଓଡ଼ିଆ ସଙ୍ଗୀତ ଜଗତରେ ନିଜ ପ୍ରତିଭା ଓ ସାଧନାରେ ପରିଚୟ ସୃଷ୍ଟି କରି ଆଜି ଲୋକପ୍ରିୟ ହୋଇପାରିଛନ୍ତି. ବର୍ତ୍ତମାନ ସମଗ୍ର ଓଡ଼ିଶାରେ
ଯୁବ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ସ୍ୱସ୍ତିକ ପାଢ଼ୀଙ୍କ ନାମ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେ ପାରଳାଖେମୁଣ୍ଡିର ସ୍ୱର୍ଗତ ଭାସ୍କର ପାଢ଼ୀଙ୍କ ନାତି ଏବଂ ପ୍ରସିଦ୍ଧ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢ଼ୀଙ୍କ ସୁପୁତ୍ର ଅଟନ୍ତି । ପାରଳାଖେମୁଣ୍ଡିର ଐତିହ୍ୟ ଓ ପରିବାରର ସଙ୍ଗୀତମୟ ପରିବେଶରେ ବଢ଼ିଥିବା ସ୍ୱସ୍ତିକ ପିଲାଦିନରୁ ଏହି କ୍ଷେତ୍ର ପ୍ରତି ଆକର୍ଷିତ ହୋଇଥିଲେ। ବାପାଙ୍କ ସଙ୍ଗୀତ ଧାରାକୁ ଆଗେଇ ନେବା ସହ ନିଜସ୍ୱ ପରିଚୟ ଗଢ଼ିବାରେ ସେ ନିରନ୍ତର ପ୍ରୟାସରତ ଥିଲେ । ବିଭିନ୍ନ ଓଡ଼ିଆ ମ୍ୟୁଜିକ୍ ଆଲବମ୍, ଚଳଚ୍ଚିତ୍ର ଓ ୟୁଟ୍ୟୁବ୍ ମାଧ୍ୟମରେ ତାଙ୍କ କଣ୍ଠସ୍ୱର ଶ୍ରୋତାଙ୍କ ନିକଟରେ ପହଞ୍ଚିଛି। କଣ୍ଠଶିଳ୍ପୀ ଭାବେ ସଫଳତା ସହ ସେ ସଙ୍ଗୀତ ନିର୍ଦ୍ଦେଶନାରେ ମଧ୍ୟ ଦକ୍ଷତା ପ୍ରମାଣ କରିଛନ୍ତି। ‘ମିଠା ଚୁଇଙ୍ଗମ୍’, ‘ସ୍କୁଲ୍ ଡାଏରୀ’, ‘ମଙ୍ଗଳମୟୀ ମା’ ମଙ୍ଗଳା’ ଏବଂ ‘ଜଗା ପରି ଭାଇ ଜଗତେ ନାହିଁ’ ଭଳି ଚଳଚ୍ଚିତ୍ର ସହ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ବେଶ ଲୋକପ୍ରିୟ ହୋଇପାରିଛି। ଏହାଛଡ଼ା, ତାଙ୍କ ପିତା ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସେ ସଙ୍ଗୀତ ପରିଚାଳନାର ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତରଙ୍ଗ ସିନେ ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ତୋ ବିନୁ ଅନ୍ୟ ଗତି ନାହିଁ’ର ‘ତତେ ଖାଇତେ ଦେବି ମାଗୁର ମାଛ ବେସର’ ଗୀତ ତାଙ୍କୁ ବିଶେଷ ଲୋକପ୍ରିୟତା ଦେଇଛି। ସେହିପରି, ତରଙ୍ଗ ପ୍ରଡକ୍ସନର ଆଉ ଏକ ସିନେମା ‘ପ୍ରେମର ଛକି ଶୂନ’ ରେ ଗାଇଥିବା ରୋମାଣ୍ଟିକ୍ ଗୀତ ଯୁବପିଢ଼ିଙ୍କ ମଧ୍ୟରେ ତାଙ୍କ ପରିଚୟକୁ ଆହୁରି ମଜବୁତ କରିଛି। ସମ୍ପ୍ରତି ସିଦ୍ଧାର୍ଥ ପ୍ରଡକ୍ସନ୍ସର ଏକ ବ୍ୟୟବହୁଳ ଚଳଚ୍ଚିତ୍ରରେ ମଧ୍ୟ ସେ କଣ୍ଠଦାନ କରିଛନ୍ତି। ସଙ୍ଗୀତ ସହ ସ୍ୱସ୍ତିକ ଉଚ୍ଚଶିକ୍ଷା ଓ ବୃତ୍ତିଗତ ଜୀବନକୁ ମଧ୍ୟ ସମାନ ଗୁରୁତ୍ୱ ଦେଇ ଆସୁଛନ୍ତି।
ପାରଳାର ଯୁବ ପ୍ରତିଭା ସ୍ୱସ୍ତିକ ପାଢ଼ୀ ଓଡ଼ିଆ ସଙ୍ଗୀତ ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲେ
