ରାଉରକେଲା: ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ରାଉରକେଲା ଅବକାରୀ ଅଧିକ୍ଷକ ଧନେଶ୍ୱର ବରାଳଙ୍କୁ ଶନିବାର ଗିରଫ କରାଯାଇଛି। ପରେ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି। ଚଢ଼ାଉ ବେଳେ ତାଙ୍କ ନିକଟରୁ ପ୍ରାୟ ୯୩ ଲକ୍ଷ ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।ଶୁକ୍ରବାର ଜଣେ ମଦ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ରାଉରକେଲା ଭିଜିଲାନ୍ସ ଟିମ୍ ଧନେଶ୍ୱର ବରାଳଙ୍କୁ ଧରିଥିଲା। ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବ୍ୟାଗରେ ଟଙ୍କା ନେବା ସମୟରେ ତାଙ୍କୁ ଧରାଯାଇଥିଲା।ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ସରକାରୀ କାର୍ଯ୍ୟାଳୟ, ସିଭିଲ୍ ଟାଉନସିପ୍ରେ ଥିବା ସରକାରୀ ବାସଭବନ, ଭୁବନେଶ୍ୱର ଇତିପୁରରେ ଥିବା ଘର ଏବଂ ଖୋର୍ଦ୍ଧା ବୋଲଗଡ଼ରେ ଥିବା ପୈତୃକ ଘରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱରରେ ଗୋଟିଏ ପ୍ଲଟ୍ ଏବଂ ନୟାଗଡ଼ରେ ତିନୋଟି ପ୍ଲଟ୍ ଠାବ କରିଥିବା ଜଣାପଡ଼ିଛି। ଏହାଛଡ଼ା ଅନ୍ୟାନ୍ୟ ସମ୍ପତ୍ତି ଓ କାଗଜପତ୍ରର ମଧ୍ୟ ଯାଞ୍ଚ କରାଯାଇଛି।ଭିଜିଲାନ୍ସର ପ୍ରାଥମିକ ଆକଳନ ଅନୁଯାୟୀ, ଠାବ ହୋଇଥିବା ଆୟବହିର୍ଭୂତ ସମ୍ପତ୍ତିର ମୂଲ୍ୟ ପ୍ରାୟ ୯୩ ଲକ୍ଷ ଟଙ୍କା। ଏହି ସମ୍ପତ୍ତି ତାଙ୍କ ଜଣାଶୁଣା ଆୟ ତୁଳନାରେ ପ୍ରାୟ ୧୦୦ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।
୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଉରକେଲା ଅବକାରୀ ଅଧିକ୍ଷକ
