ପାଟନା: ବିହାରରେ ହୋଇଥିବା ବନ୍ୟାରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ବହୁସଂଖ୍ୟକ ଘରଦ୍ବାର ଭାଙ୍ଗିରୁଜି ଯାଇଛି। ବନ୍ୟା କ୍ଷତିଗ୍ରସ୍ତକୁ କେନ୍ଦ୍ର ସରକାର ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ ଶନିବାର ଦାବି କରିଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ।ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ତେଜସ୍ବୀ କହିଥିଲେ ବିହାର ସରକାରଙ୍କ ରାଜକୋଷ ଖାଲି ପଡ଼ିଥିବାରୁ କେନ୍ଦ୍ର ସରକାର ବିହାର ବନ୍ୟା କ୍ଷତିଗ୍ରସ୍ତଙ୍କ ନିମନ୍ତେ ତୁରନ୍ତ ସ୍ବତନ୍ତ୍ର ପ୍ୟାକେଜ୍ ପ୍ରଦାନ ବ୍ୟବସ୍ଥା କରିବା ଉଚିତ୍। କେନ୍ଦ୍ର ସରକାର ବିହାର ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବା ତେଜସ୍ବୀ ଅଭିଯୋଗ କରିଥିଲେ। ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ଆରଜେଡି ଦଳର କର୍ମୀମାନେ ପ୍ରଭାବିତ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା କରୁଥିବା ତେଜସ୍ବୀ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ବିହାର ସରକାର ବନ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାରେ ହେଳା କରୁଥିବା ସେ କହିଛନ୍ତି।
ସୂଚନାଥାଉ କି ବିହାର ବନ୍ୟାରେ ୧୪ ଜିଲାର ୮୪ଟି ବ୍ଲକରେ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଗଣମାଧ୍ୟମକୁ ସୂଚନା ପ୍ରଦାନ କରାଯାଇଛି। ଗଙ୍ଗା ସହ ଅନ୍ୟାନ୍ୟ ନଦୀରେ ବନ୍ୟାଜଳ ହ୍ରାସ ପାଉଥିବା ବେଳେ କ୍ଷତିଗ୍ରସ୍ତକୁ ରିଲିଫ୍ ପ୍ରଦାନ କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିବା କୁହାଯାଇଛି। ଭାଗଲପୁର ଜିଲାରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଏଠାରେ ଦେଢ଼ଲକ୍ଷ ପରିବାରର ପାଖାପାଖି ସାଢେ ୬ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।
