: ପୁରୀ ପୁରୀରେ ଅନୁଷ୍ଠିତ ହୋଇଛି ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତା। ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖା ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନରେ ଏହି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଉଦ୍ଘାଟନୀ ଉତ୍ସବରେ ପୂର୍ବତନ କୁଳପତି ଡଃ ହରିହର ହୋତା ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ସେଠୀ ଯୋଗଦେଇଥିଲେ। ସମାଜର କଲ୍ୟାଣ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ସଂକଳ୍ପ ନେବା ଆବଶ୍ୟକ ବୋଲି ଅତିଥିମାନେ ପରାମର୍ଶ ଦେଇଥିଲେ। ଏହି ପ୍ରତିଯୋଗିତାରେ ୪୨ଟି ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଭାରତ କୋ ଜାନୋ କନିଷ୍ଠ ବର୍ଗରେ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ, ସରସ୍ୱତୀ ବିଦ୍ୟାମନ୍ଦିର ଘୋଡ଼ା ବଜାର ଦ୍ୱିତୀୟ ଏବଂ କନକ ଦୁର୍ଗା ଉଚ୍ଚ ବିଦ୍ୟାଳୟ, ବାସୁଦେବପୁର ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ବରିଷ୍ଠ ବର୍ଗରେ ହରଚଣ୍ଡୀ ସାହି ଶିଶୁ ମନ୍ଦିର ପ୍ରଥମ, ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ଦ୍ୱିତୀୟ ଏବଂ ଡିଏଭି ପବ୍ଲିକ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲା।
ରାଷ୍ଟ୍ରୀୟ ସମୂହ ଗାନ ପ୍ରତିଯୋଗିତାର ହିନ୍ଦୀ ବିଭାଗରେ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ, ସରସ୍ୱତୀ ବିଦ୍ୟାମନ୍ଦିର, ମଧୁବନ ଦ୍ୱିତୀୟ ଏବଂ ଘନଶ୍ୟାମ ହେମଲତା ବିଦ୍ୟାମନ୍ଦିର ତୃତୀୟ ସ୍ଥାନ ହାସଲ କରିଥିଲେ। ସଂସ୍କୃତ ବିଭାଗରେ ଡିଏଭି ପବ୍ଲିକ ସ୍କୁଲ ପ୍ରଥମ ଏବଂ ସରସ୍ୱତୀ ବିଦ୍ୟାମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲା।
ସନ୍ଧ୍ୟା ଅଧିବେଶନରେ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଶ୍ରୀ ପ୍ରଭାତ ରଞ୍ଜନ ମହାପାତ୍ର ମୁଖ୍ୟ ଅତିଥି ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସବିତା ଆଚାର୍ଯ୍ୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଯୁବପିଢ଼ିଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ସହ ସେମାନଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ କରିବା ଉପରେ ଅତିଥିମାନେ ଗୁରୁତ୍ୱ ଦେଇଥିଲେ। ସଂସ୍କାର ସଂଯୋଜକ ଶ୍ରୀ ସନ୍ତୋଷ କୁମାର ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାପତି ଡଃ ହରିହର ହୋତା ଏବଂ ସମ୍ପାଦକ ଶ୍ରୀ ହରପ୍ରସାଦ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କ୍ଷେତ୍ରୀୟ ସଚିବ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତୀୟ ମହାସଚିବ ସୌମେନ୍ଦ୍ର ଦାସ, ଜାତୀୟ ସଦସ୍ୟ ମହିଳା ସହଭାଗିତା ଏବଂ ସଂଗଠନ ସଚିବ ରାମଚନ୍ଦ୍ର ଦଳାଇ ଅତିଥି ଭାବେ ଯୋଗଦେଇଥିଲେ। ବୁଦ୍ଧଦେବ ମହାପାତ୍ର ଓ କେଶବ ପାତ୍ର ସହଯୋଗ କରିଥିଲେ। କନିଷ୍ଠ ବର୍ଗ ପାଇଁ ସନ୍ତୋଷ କୁମାର ମହାନ୍ତି ଏବଂ ବରିଷ୍ଠ ବର୍ଗ ପାଇଁ ପଦ୍ମନାଭ ପଣ୍ଡା କୁଇଜ୍ ମାଷ୍ଟର୍ ଭାବେ ପ୍ରତିଯୋଗିତା ପରିଚାଳନା କରିଥିଲେ। ଭାରତ ବିକାଶ ପରିଷଦ ଶ୍ରୀ ଜଗନ୍ନାଥ ଧାମ ଶାଖାର ସଚିବ ଶ୍ରୀ ହରପ୍ରସାଦ ମହାପାତ୍ର ସମଗ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।ରିପୋର୍ଟର ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।
