ଶ୍ରୀମନ୍ଦିର, ରତ୍ନଭଣ୍ଡାର ଓ ଶ୍ରୀନଅରକୁ ଟ୍ରେଡ୍‌ମାର୍କ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ର ପରମ୍ପରା ଓ ଐତିହ୍ୟର ସୁରକ୍ଷା ଦିଗରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ପୁଣି ଏକ ସଫଳତା ମିଳିଛି। ଟ୍ରେଡ୍‌ ମାର୍କ ରେଜିଷ୍ଟ୍ରିର ତୃତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଆଉ ତିନୋଟି ଟ୍ରେଡ୍ ମାର୍କ ଆବେଦନ ଆସନ୍ତା ଟ୍ରେଡ୍ ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି। ସେଗୁଡ଼ିକ ହେଲା, ଶ୍ରୀମନ୍ଦିର, ରତ୍ନଭଣ୍ଡାର ଏବଂ ଶ୍ରୀନଅର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସୂଚନା ମୁତାବକ, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ନିଷ୍ପତ୍ତିକ୍ରମେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ଯେତେ ଶବ୍ଦାବଳୀ ରହିଛି, ସେଗୁଡ଼ିକୁ ପାଟେଣ୍ଟ କରିବା ପାଇଁ ୨୦୨୫ ମସିହା ମେ’ ୨୬ରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଚଳିତବର୍ଷ ଜୁନ୍‌ ୫ତାରିଖରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ଶବ୍ଦାବଳୀର ଅପବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଯେପରିକି, ଆନନ୍ଦବଜାର, ବଡ଼ଦାଣ୍ଡ, ମହାପ୍ରସାଦ, ନନ୍ଦିଘୋଷ, ନିର୍ମାଲ୍ୟ, ନୀଳଚକ୍ର, ନୀଳକନ୍ଦର ଏବଂ ଜଗନ୍ନାଥ ଧାମ ଭଳି ଶବ୍ଦର ଅନଧିକାର ବ୍ୟବହାର ହୋଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଟ୍ରେଡ୍‌ମାର୍କ ରେଜିଷ୍ଟ୍ରିର ଦ୍ୱିତୀୟ ପର୍ଯ୍ୟାୟ ଯାଞ୍ଚ ପରେ ଉପରୋକ୍ତ ତିନୋଟି ଟ୍ରେଡ୍‌ମାର୍କ
ଆବେଦନ ଆସନ୍ତା ଟ୍ରେଡ୍‌ମାର୍କ ଜର୍ଣ୍ଣାଲରେ ପ୍ରକାଶନ ପାଇଁ ଅନୁମୋଦିତ ହୋଇଛି।
ଏଣିକି, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ବ୍ୟବହୃତ ପ୍ରତିଟି ମୌଳିକ ଶବ୍ଦାବଳୀର ଅପବ୍ୟବହାର ଉପରେ ପ୍ରତିବନ୍ଧକ ଲାଗିବାରେ ସହାୟକ ହୋଇପାରିବ। ଏହି ଅନୁମୋଦନଗୁଡ଼ିକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଡ଼ିତ ପବିତ୍ର ନାମ ଓ ପରମ୍ପରାର ସୁରକ୍ଷା ତଥା ସେଗୁଡ଼ିକର ଅନଧିକୃତ ବ୍ୟବହାର ଓ ବାଣିଜ୍ୟିକ ଅପବ୍ୟବହାରକୁ ରୋକିବା ଦିଗରେ ଆଉ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି।
ପୂର୍ବବର୍ଷ ମେ’ ୨୬ ବୈଠକରେ ଏହି ଶବ୍ଦାବଳୀ ସମ୍ପର୍କରେ ଏକ କମିଟି ଗଠନ କରାଯାଇ ବି‌େ‌ଶଷ ଆଲୋଚନା ହୋଇ କିଛି ସ୍ବତନ୍ତ୍ର ଶବ୍ଦକୁ ବଛାଯାଇଥିଲା। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚଳିତବର୍ଷ ଜୁନ ମାସରେ ଇଣ୍ଡିଆନ ପାଟେଣ୍ଟ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଆନନ୍ଦବଜାର, ପତିତପାବନ ଏବଂ ନୀଳଚକ୍ର ଲୋଗୋ ଶବ୍ଦାବଳୀକୁ ଅନୁମୋଦିତ କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ଜଗନ୍ନାଥ ଧାମ, ଶ୍ରୀକ୍ଷେତ୍ର, ମହାପ୍ରସାଦ, ନୀଳଚକ୍ର ଏବଂ କୋଇଲି ବୈକୁଣ୍ଠ ଶବ୍ଦାବଳୀକୁ ଇଣ୍ଡିଆନ ପାଟେଣ୍ଟ କାର୍ଯ୍ୟାଳୟ ପ୍ରକାଶନ ପାଇଁ ଅନୁମୋଦିତ କରିଥିଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *