ଆସନ୍ତା ୪ ଦିନ ଉତ୍ତର-ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରବଳ ବର୍ଷାରେ ଭିଜିବ ଗଣେଶ ପୂଜା। ଆସନ୍ତାକାଲି(ସୋମବାର)ଠାରୁ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ରବିବାର ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଏବଂ ଗଜପତି ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ବାଲେଶ୍ବର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ପୁରୀ, ଖୋରଧା ଏବଂ ନୟାଗଡ଼ ଜିଲାର କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହିସବୁ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ସ୍ଥଳଭାଗକୁ ଚାଲିଯାଇଛି। ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ କମୁଛି। ତଥାପି ମୌସୁମି ନିମ୍ନଚାପରେଖା ଏବଂ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ଯୋଗୁଁ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୧୭ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ତୁରନ୍ତ ସୃଷ୍ଟି ହେବାର ସଙ୍କେତ ଏବେ ସ୍ପଷ୍ଟ ହେଉନାହିଁ। ତେବେ ମୌସୁମି ନିମ୍ନଚାପରେଖା ଓ ବଙ୍ଗୋପସାଗରରୁ ଜଳୀୟବାଷ୍ପ ଆସିବା ଯୋଗୁଁ ଓଡ଼ିଶାରେ ବର୍ଷା ପୁଣି ବଢ଼ିପାରେ। ଆଗାମୀ ୪ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର ପାହାଡ଼ିଆ ଅଞ୍ଚଳର କେତେକ ସ୍ଥାନରେ ଅଧିକ ବର୍ଷା ହୋଇପାରେ। ଆଗାମୀ ୨୦ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ପ୍ରାୟ ୨୨ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ନିକଟକୁ ଆସିପାରେ। ଏହା ଲଘୁଚାପରେ ପରିଣତ ହେବାର ମଧ୍ୟ ସମ୍ଭାବନା ରହିଛି। ଏହା କେତେ ଶକ୍ତିଶାଳୀ ହେବ, କେଉଁ ଦିଗକୁ ଯିବ ଏବଂ କେଉଁ ଅଞ୍ଚଳରେ ଅଧିକ ବର୍ଷା କରାଇବ ତାହା ଆଗକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ। ଚଳିତ ମାସର ମଧ୍ୟଭାଗରେ ରାଜ୍ୟରେ ମଝିରେ ମଝିରେ ମୌସୁମି ବର୍ଷା ହୋଇପାରେ।

Leave a Reply

Your email address will not be published. Required fields are marked *