ଭୁବନେଶ୍ୱର:ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି।
ନିର୍ଦ୍ଦେଶ ଅନୁଯାୟୀ, ଯେଉଁ ସରକାରୀ ଅଧିକାରୀ ଓ କର୍ମଚାରୀ ବର୍ତ୍ତମାନ ଛୁଟିରେ ଅଛନ୍ତି, ସେମାନେ ଛୁଟି ବାତିଲ କରି ତୁରନ୍ତ ନିଜ ନିଜ କାର୍ଯ୍ୟସ୍ଥଳକୁ ଫେରି ଡ୍ୟୁଟିରେ ଯୋଗଦେବେ। ସମସ୍ତ ଅଧିକାରୀଙ୍କୁ ମୁଖ୍ୟାଳୟରେ ରହିବା ସହ ଆବଶ୍ୟକ ସ୍ଥଳେ କ୍ଷେତ୍ରକୁ ଯାଇ ବନ୍ୟା ସ୍ଥିତିର ତଦାରଖ କରିବାକୁ କୁହାଯାଇଛି।
