ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ସରକାରୀ ଚାକିରି ବୟସ ସୀମା ୪୨କୁ ବୃଦ୍ଧି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗଠାରେ ଆଜି ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହା ସହିତ ସେ ସମ୍ମିଳିତ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଉଦ୍‌ବୋଧନରେ କହିଛନ୍ତି ଯେ, ଏଣିକି ଅଷ୍ଟମ ଶ୍ରେଣୀ ପରି ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ଶିକ୍ଷାର ପ୍ରସାର ପାଇଁ ଉପାନ୍ତ ଜିଲ୍ଲାଗୁଡ଼ିକରେ ୧୮ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ ୪ଟି ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବ।ସେହିପରି ରାଜ୍ୟର ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାରୀ ଚାକିରି ପାଇଁ ସର୍ବାଧିକ ବୟସ ସୀମାକୁ ୩୨ରୁ ୪୨ ବର୍ଷକୁ ବୃଦ୍ଧି କରାଯାଇଛି। ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବା ପାଇଁ ଥିବା ୬ଟି ସୁଯୋଗ ବା ଆଟେମ୍ପ୍ଟ କଟକଣାକୁ ହଟାଇ ଦିଆଯାଇଛି। ବର୍ତ୍ତମାନ ପ୍ରାର୍ଥୀମାନେ ସର୍ବୋଚ୍ଚ ବୟସସୀମା ପର୍ଯ୍ୟନ୍ତ ଏହି ପରୀକ୍ଷା ଦେଇପାରିବେ। ଏହାବ୍ୟତୀତ ଅନୁକମ୍ପାମୂଳକ ନିଯୁକ୍ତି ନିୟମକୁ ମଧ୍ୟ କୋହଳ କରାଯାଇଛି। ପରୀକ୍ଷା ପରିଚାଳନାରେ ଦୁର୍ନୀତି ରୋକିବା ପାଇଁ ସାମାନ୍ୟତମ ତ୍ରୁଟି ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *