ଭିଜିଲାନ୍ସ ଜାଲରେ ଆରଆଇ

ଖଇରା:ମ୍ୟୁଟେସନ୍ ମାମଲାରେ ROR ପ୍ରଦାନ କରିବାରେ ସାହାଯ୍ୟ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ (ଆରଆଇ) ଶରତ କୁମାର ସେଠୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁସାରେ, ଜଣେ ବ୍ୟକ୍ତି ନିଜ ପୈତୃକ ଜମିର ମ୍ୟୁଟେସନ୍‌ କରି ତାଙ୍କ ଜେଜେବାପାଙ୍କ ନାମରେ ଆରଓଆର୍‌ ପାଇବା ପାଇଁ ଆବେଦନ କରିଥିଲେ। ତେବେ ଏହି ମାମଲାରେ ଅଭିଯୁକ୍ତ ଆରଆଇ ଶରତ କୁମାର ସେଠୀ କୌଣସି କାରଣ ନ ଦର୍ଶାଇ ପ୍ରକ୍ରିୟାରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଥିଲା। ପରେ ଆବେଦନକାରୀ ତାଙ୍କୁ ଯୋଗାଯୋଗ କରିବାରୁ ମ୍ୟୁଟେସନ୍‌ ମାମଲା ପ୍ରକ୍ରିୟାକରଣ ଓ ଅନୁକୂଳ ରିପୋର୍ଟ ପାଇଁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ଲାଞ୍ଚ ଦେବାକୁ ଅନିଚ୍ଛୁକ ଆବେଦନକାରୀ ଏନେଇ ବାଲେଶ୍ୱର ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭିଜିଲାନ୍ସ ଟିମ୍‌ ଯୋଜନା ମୁତାବକ ଆଜି ତୁଡ଼ିଗଡ଼ିଆ ଆରଆଇ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା। ଅଭିଯୋଗକାରୀଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଆରଆଇ ଶରତ କୁମାର ସେଠୀଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି।

Leave a Reply

Your email address will not be published. Required fields are marked *