ଟାଇଫୁନ୍ ‘ଡଲଫିନ୍’ ପାଇଁ ଚୀନ୍‌ରେ ହାଇଆଲର୍ଟ

ବେଜିଂ: ଟାଇଫୁନ୍ ‘ଡଲଫିନ୍’ର ମୁକାବିଲା ପାଇଁ ଚୀନ୍‌ରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ଚୀନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ସୋମବାର ସକାଳ ସୁଦ୍ଧା ଟାଇଫୁନ୍‌ ସ୍ଥଳଭାଗରେ ପ୍ରବେଶ କରିବାର ଆଶଙ୍କା ରହିଛି।ଝଡ଼ ପ୍ରଭାବରେ ଯାତାୟାତ ବ୍ୟବସ୍ଥା ବେଶ୍‌ ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, ସାଂଘାଇର ଦୁଇଟି ପ୍ରମୁଖ ବିମାନବନ୍ଦରରେ ମୋଟ ୧,୩୮୪ଟି ବିମାନ ଉଡ଼ାଣ ବାତିଲ୍‌ କରାଯାଇଛି। ଏହାବ୍ୟତୀତ ହାଂଜୌରେ ପ୍ରାୟ ୩୦୦ଟି ବିମାନ ଉଡ଼ାଣ ବନ୍ଦ ରହିଛି। ନିଙ୍ଗବୋ ଲିସେ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଧ୍ୟ ଶନିବାର ବିଳମ୍ବିତ ରାତିରୁ ବିମାନ ବାତିଲ୍‌ ଆରମ୍ଭ ହୋଇଥିଲା।

ସେହିପରି ଟାଇଫୁନ୍‌ର ପ୍ରଭାବକୁ ଦୃଷ୍ଟିରେ ରଖି ୟାଙ୍ଗତ୍ଜେ ନଦୀ ଡେଲ୍ଟା ଅଞ୍ଚଳର କେତେକ ରୁଟ୍‌ରେ ରେଳ ସେବା ସ୍ଥଗିତ ରଖାଯାଇଛି। କିଛି ରୁଟ୍‌ରେ ଗୁରୁବାର ପର୍ଯ୍ୟନ୍ତ ଯାତାୟାତ ବାଧାପ୍ରାପ୍ତ ରହିପାରେ ବୋଲି ଚୀନ୍ ରେଳବାଇ ସାଂଘାଇ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି।ଟାଇଫୁନ୍‌ ଯୋଗୁଁ ସାଂଘାଇ ନିକଟବର୍ତ୍ତୀ ଅନେକ ପ୍ରମୁଖ ବନ୍ଦରରେ ମଧ୍ୟ କାର୍ଯ୍ୟକଳାପ ବନ୍ଦ କରାଯାଇଛି। ଜାହାଜ ପାଇଁ ଚୀନ୍‌ର ସବୁଠାରୁ ବଡ଼ ଇନ୍ଧନ କେନ୍ଦ୍ର ଭାବେ ପରିଚିତ ଝୌସାନରେ ମଧ୍ୟ କାର୍ଯ୍ୟ ବନ୍ଦ ରହିଛି।

Leave a Reply

Your email address will not be published. Required fields are marked *