ପାକ୍ ଅଧିକୃତ କାଶ୍ମୀରରେ ନିର୍ବାଚନ ଏକ ପ୍ରହସନ: ଭାରତ

ନୂଆଦିଲ୍ଲୀ : ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଚାଲିଥିବା ନିର୍ବାଚନକୁ ଭାରତର ବୈଦେଶିକ ମନ୍ତ୍ରଣାଳୟ ପ୍ରହସନ ଓ ଲୋକଦେଖାଣିଆ ବୋଲି କହିଛି। ଏହାସହ ସୀମାପାର ଆତଙ୍କବାଦ ବନ୍ଦ କରିବା ସହିତ ଆତଙ୍କବାଦର ଭିତ୍ତିଭୂମିକୁ ନଷ୍ଟ କରିବା ଲାଗି ପାକିସ୍ତାନକୁ ଭାରତ କହିଛି। ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ପିଓକେରେ ପାକିସ୍ତାନ ଦ୍ୱାରା କରାଯାଉଥିବା ନିର୍ବାଚନ ପ୍ରକ୍ରିୟା ନିଜର ବେଆଇନ ଜବର ଦଖଲ ଓ ମାନବାଧିକାର ଉଲ୍ଲଙ୍ଘନକୁ ଲୁଚାଇବା ପାଇଁ ଏକ ପ୍ରୟାସ ମାତ୍ର। ପିଓକେରେ ସାଧାରଣ ନାଗରିକଙ୍କ ଆନ୍ଦୋଳନକୁ ପାକିସ୍ତାନୀ ସେନା ଗୁଳିରେ ଦମନ କରୁଛି। ଜୟସ୍ବାଲ କହିଛନ୍ତି ଯେ ପିଓକେ ସମେତ ସମ୍ପୂର୍ଣ୍ଣ ଜାମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଅଗଷ୍ଟ ୨ରେ ପିଓକେର ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୨୧ଟି ଆସନ (ମୁଜାଫରବାଦ ଡିଭିଜନର ୯ଟି ଆସନ ଓ ପାକିସ୍ତାନର ବିଭିନ୍ନ ଭାଗରେ ରହୁଥିବା କାଶ୍ମୀର ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ୧୨ଟି ସଂରକ୍ଷିତ ଆସନ) ପାଇଁ ମତଦାନ ହୋଇଥିଲା। ଜୁଲାଇ ୨୭ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମୀରପୁର ଡିଭିଜନ (କୋଟଲି, ମୀରପୁର, ଭିମ୍ବର)ର ମୋଟ ୧୩ଟି ବିଧାନସଭା ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା।
ଭାରତ ସୀମାରେ ପାକିସ୍ତାନ ଚୀନ ନିର୍ମିତ ୨୫୦ଟି ହୋୱିଜର୍ ତୋପ ମୁତୟନ କରିବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟ ଏହାର ଦୃଢ଼ ଜବାବ ଦେଇଛି। ଜୈସୱାଲ କହିଛନ୍ତି ଯେ ସୀମାପାର ଆତଙ୍କବାଦ ଓ ଜାତୀୟ ସୁରକ୍ଷା ଉପରେ ଭାରତର ଆଭିମୁଖ୍ୟ ସ୍ପଷ୍ଟ। ତେଣୁ ଦେଶର ସୁରକ୍ଷା ପାଇଁ ଯାହା ଯାହା ଆବଶ୍ୟକ, ଭାରତ ସେସବୁ ପଦକ୍ଷେପ ଗ୍ରହଣ କରିବ। ‘ଅପରେସନ୍ ସିନ୍ଦୂର’ ସମୟରେ ପାକିସ୍ତାନକୁ ଉଚିତ୍ ଜବାବ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *