ଆସାମ ବନ୍ୟା : ୫୦ ମୃତ

ଦିସପୁର : ଚଳିତ ମୌସୁମି ଋତୁରେ ଆସାମରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ସାଢ଼େ ୬ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ଆସାମର ବିଭିନ୍ନ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଅତିକମ୍‌ରେ ୧୦ଜଣଙ୍କ ପ୍ରାଣ ଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ଛୋଟ ପିଲା ରହିଛନ୍ତି। ଆସାମ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନାନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଶିବସାଗର ଓ ଜୋରହାଟ ଜିଲାରେ ୩ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଛାରାଇଡୋ ଜିଲାରେ ୨, ଧେମାଜି ଓ କାବରି ଜିଲାରେ ଜଣେ ଲେଖାଏଁ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବନ୍ୟାରେ ୯୩୯ଟି ଗାଁରେ ପାଣି ପଶିଥିବା ବେଳେ ସାଢ଼େ ୬ ଲକ୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ପ୍ରଭାବିତ ହୋଇଛନ୍ତି। କାବ୍‌ରି, ଆଙ୍ଗଲଙ୍ଗ, ଗୋଲହାଟ୍‌, ଛାରାଇଡୋ, କାମରୂପ, ଶିବସାଗର, ଜୋରହାଟ୍‌, ଦିବ୍ରୁଗଡ଼, ନାଗାଓଁ, ଧେମଜି, ହୋଜାଇ ଆଦି ଜିଲା ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ବର୍ଷା ଜାରି ରହିଥିବାରୁ ବ୍ରହ୍ମପୁତ୍ର ନଦୀ ସହ ଏହାର ଏକାଧିକ ଶାଖା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଡିସାଙ୍ଗ ସହ ଅନ୍ୟାନ୍ୟ ନଦୀଗୁଡ଼ିକ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *