ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରା ଅନୁଷ୍ଠିତ

ପିପିଲି :ପିପିଲିର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ପବିତ୍ର ବାହୁଡାଯାତ୍ରା ଶୁକ୍ରବାର ମହା ସମାରୋହରେ ସଂପନ୍ନ ହୋଇଛି। ଏଥିଯୋଗୁଁଁ ପିପିଲିର ରଥଟଣା ରାସ୍ତା ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି ଧ୍ୱନୀରେ କମ୍ପି ଉଠିଥିଲା।  ପିପିଲି ପୌରାଞ୍ଚଳ ଅନ୍ତର୍ଗତ ମଢିଆଳିସାହି ସ୍ଥିତ ମା’ ପଢେଇଶୁଣି ଠାକୁରାଣୀଙ୍କ ମନ୍ଦିର ସଂଲଗ୍ନ ମାଉସୀ ମା’ଙ୍କ ମନ୍ଦିରରେ ସକାଳେ ମହାପ୍ରଭୂ ଶ୍ରୀଜଗନ୍ନାଥ, ବଡଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କର ବିଭିନ୍ନ ରୀତିନୀତି ସଂପନ୍ନ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପଣ୍ଡାଙ୍କ ଦ୍ୱାରା ଠାକୁରଙ୍କ ମଙ୍ଗଳ ଆରତି, ମଇଲମ, ତଡପଲାଗି, ରୋଷ ହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ଗୋପାଳ ବଲ୍ଲଭ, ସକାଳ ଧୂପ, ସେନାପଟାଲାଗି, ମଙ୍ଗଳାର୍ପଣ କରାଯିବା ପରେ ମଧ୍ୟାହ୍ନ ୧୨ଟାରେ ପହଣ୍ଡିରେ ଅଣାଯାଇ ଠାକୁରମାନଙ୍କୁ ରଥାରୁଢ କରାଯାଇଥିଲା। ଦଇତାସେବକ ଜୟଦେବ ମହାପାତ୍ର, ଅକ୍ଷୟ ମହାପାତ୍ର ଓ ଚନ୍ଦନ ମହାପାତ୍ର ଠାକୁରଙ୍କ ବିଭିନ୍ନ ସେବାନୀତି କରିଥିଲେ। ସମାଜସେବୀ ପ୍ରଭାକର ପଣ୍ଡା ରଥ ଉପରେ ଠାକୁର ମାନଙ୍କର ଛେରା ପହଁରା କରିବା ପରେ ଅପରାହ୍ନ ୨ଟା ୪୫ ମିନିଟ୍‌‌ରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ସାଙ୍ଗକୁ ହରିବୋଲ, ହୁଳହୁଳି ଧ୍ୱନିରେ ରଥଟଣା ରାସ୍ତା ପ୍ରକମ୍ପିତ ହୋଇଥିଲା। ମଢିଆଳିସାହି ଗ୍ରାମ୍ୟଛକ ଠାରୁ ଶ୍ରୀପତିତପାବନଦେବଙ୍କ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ରାଜପଥ ଉପରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ରଥକୁ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ଟାଣି ନେଇଥିଲେ। ରଥ ଉପରେ ଲକ୍ଷ୍ମୀଧର ମିଶ୍ର ଡାହୁକ ରୁପେ କାର୍ଯ୍ୟ ସଂପାଦନ କରିଥିଲେ। ପିପିଲି ରଥଯାତ୍ରା ପରିଚାଳନା କମିଟିର ସଭାପତି ଇଂ ରମେଶ ଚନ୍ଦ୍ର ଶତପଥି, ଉପସଭାପତି ବାମଦେବ ମିଶ୍ର, ସଂପାଦକ ପ୍ରଭାତ କୁମାର ମହାପାତ୍ର, କୋଷାଧ୍ୟକ୍ଷ ସୁରେନ୍ଦ୍ର ମହାପାତ୍ର, ସହସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ଆଇନଜୀବୀ ସୁଧିର କୁମାର ମହାନ୍ତି, ସମାଜସେବୀ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ମୁନୁ ଅଗ୍ରୱାଲା, ମନ୍ଦିରର ଟ୍ରଷ୍ଟି ସୁରେଶ ଚନ୍ଦ୍ର ମହାପାତ୍ର, ମନ୍ଦିର ପରିଚାଳନା କମିଟିର ସଭାପତି ସୁରେନ୍ଦ୍ର କୁମାର ମହାପାତ୍ର, ମୁଖ୍ୟ ଉପଦେଷ୍ଠା ନୃସିଂହ ମହାପାତ୍ର, ସମ୍ପାଦକ ଗୋପାଳ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ବିଭୂତି ଭୂଷଣ ମହାରଣା, କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ପୁଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ କରିଥିଲା। ପିପିଲି ଅଗ୍ନିଶମ ବାହିନୀ, ପିପିଲି କଲେଜର ସମର ଶିକ୍ଷାର୍ଥି ବାହିନୀ, ବିଦ୍ୟୁତ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *