ବଲାଙ୍ଗିରରେ ଧରାପଡ଼ିଲା ସାଇବର ଠକେଇର ନୂଆ ନେଟୱର୍କ;୪ ଗିରଫ

ବଲାଙ୍ଗିର:ବଲାଙ୍ଗିର ସାଇବର ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ଏକ ସଂଗଠିତ ମ୍ୟୁଲ୍ ଆକାଉଣ୍ଟ ନେଟୱର୍କର ପର୍ଦ୍ଦାଫାସ କରିଛି। ସାଇବର ମାଧ୍ୟମରେ ନିବେଶ ଠକେଇରୁ ଆଦାୟ ଟଙ୍କାକୁ ବିଭିନ୍ନ ବ୍ୟାଙ୍କ ଖାତା ମାଧ୍ୟମରେ କାରବାର ଓ ନଗଦ ଉଠାଣ କରାଯାଉଥିବା ନେଇ ତଦନ୍ତରୁ ଜଣାପଡ଼ିଛି। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି।୧୪C ମାଧ୍ୟମରେ ଫ୍ଲାଗ୍ ହୋଇଥିବା ₹୩୫ ଲକ୍ଷ ଠକେଇ ଟଙ୍କା ସମ୍ପର୍କରେ ବଲାଙ୍ଗିର ସାଇବର ଓ ଅର୍ଥନୈତିକ ଅପରାଧ ଥାନାରେ କେସ୍ ନଂ. ୨୪/୨୦୨୬ ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ଏହି ମାମଲାରେ ପ୍ରକାଶ ଶର୍ମା, ସନ୍ନି ବାର୍ଭେ, ପ୍ରସନ୍ନ କୁମାର ନାଗ ଓ ଯୁବରାଜ ଦୀପଙ୍କୁ ଗିରଫ କରାଯାଇଛି।

ତଦନ୍ତରୁ ଜଣାପଡ଼ିଛି ଯେ, ସମଲେଶ୍ୱରୀ ଏଣ୍ଟରପ୍ରାଇଜେସ୍’, ‘ମା’ ସମଲେଶ୍ୱରୀ ଏଗ୍ରୋ ଏଣ୍ଟରପ୍ରାଇଜେସ୍’ ଏବଂ ‘ମା’ ଏଗ୍ରୋ ଏଣ୍ଟରପ୍ରାଇଜେସ୍’ ଭଳି ବ୍ୟବସାୟିକ ପ୍ରତିଷ୍ଠାନ ନାମରେ ଖୋଲାଯାଇଥିବା ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ଠକେଇ ଟଙ୍କା କାରବାର କରାଯାଉଥିଲା। ଠକେଇ ଅର୍ଥକୁ ବିଭିନ୍ନ ଆକାଉଣ୍ଟରେ ଭାଗ ଭାଗ କରି ସ୍ଥାନାନ୍ତର କରିବା, ନଗଦ ଟଙ୍କା ଉଠାଇବା ଏବଂ ଏକାଧିକ ମଧ୍ୟସ୍ଥଙ୍କ ମାଧ୍ୟମରେ ପରବର୍ତ୍ତୀ ବ୍ୟକ୍ତିଙ୍କୁ ହସ୍ତାନ୍ତର କରାଯାଉଥିବା ତଥ୍ୟ ସାମ୍ନାକୁ ଆସିଛି।ଏହି ସମସ୍ତ କାରବାର, ଆକାଉଣ୍ଟ ତଥ୍ୟ ଆଦାନପ୍ରଦାନ, ଅର୍ଥ ସ୍ଥାନାନ୍ତର ଏବଂ ନଗଦ ଉଠାଣ ପାଇଁ ବିଦେଶୀ-ରୁଟେଡ୍ ୱାଟ୍ସଆପ୍ ବିଜନେସ୍ ଭର୍ଚୁଆଲ୍ ନମ୍ବର (foreign-routed WhatsApp Business virtual numbers) ବ୍ୟବହାର କରୁଥିବା ତଦନ୍ତରୁ ଜଣାପଡିଛି ।

Leave a Reply

Your email address will not be published. Required fields are marked *