କେରଳ: ମର୍ସିଡିଜ୍ ହିଟ୍ ଆଣ୍ଡ ରନ୍ ମାମଲାରେ କେରଳ ଚେରନାଲ୍ଲୁର ଆଡିସିନାଲ ଡିଷ୍ଟ୍ରିକ୍ଟ ଜଜ୍ଙ୍କୁ ବୁଧବାର ୩ ଘଂଟା ଧରି ଥାନାରେ ଜେରା କରିଛି ପୁଲିସ । ଗୁରୁବାର ପୁଣିଥରେ ତାଙ୍କୁ ଜେରା କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡିଛି । ଉଲ୍ଲେଖଯୋଗ୍ୟ ଯେ ଗତ ଅକ୍ଟୋବର ୨୫ ତାରିଖ ରାତି ପ୍ରାୟ ୨.୨୦ ବେଳେ ଜୟବାଲକ୍ରିଷ୍ଣ ନାମକ ଜଣେ ୫୫ ବର୍ଷୀୟ ଦୋକାନୀ ନିଜ ସ୍କୁଟରରେ ଘରକୁ ଫେରୁଥିବା ବେଳେ ଉକ୍ତ ଜଜ୍ଙ୍କ ୧୭ ବର୍ଷୀୟ ନାବାଳକ ପୁଅ ଏକ ମର୍ସିଡିଜ୍ କାର୍ରେ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜୟବାଲକ୍ରିଣ୍ଣଙ୍କର ମୃତୁ୍ୟ ଘଟିଥିଲା । ପୁଲିସ ପକ୍ଷରୁ ଏ ନେଇ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିଲା । ଏହି ମାମଲାରେ ଉକ୍ତ ଜଜ୍ ଜଣକ ଅନ୍ୟତମ ଅଭିଯୁକ୍ତ ଥିବାରୁ ଅଲୁଭା ପୁଲିସ କ୍ଲବ ଥାନା ପକ୍ଷରୁ ବୁଧବାର ଥାନା ପରିସରରେ ତାଙ୍କର ଜେରା କରାଯାଇଥିଲା । ଅନ୍ୟପକ୍ଷରେ ଉକ୍ତ ଜଜ୍ଙ୍କ ବିରୁଦ୍ଧରେ ଦୃଢ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେରଳ ହାଇକୋର୍ଟ ଆଡମିନିଷ୍ଟ୍ରେଟିଭ୍ କମିଟି ନିଷ୍ପତ୍ତି ନେଇଥିବା ଜଣାପଡିଛି । ପୁଲିସ ତଦନ୍ତ ପରେ ସମ୍ପୃକ୍ତ ଜଜଙ୍କୁ ନିଲମ୍ବିତ କରାଯିବାର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।
ମର୍ସିଡିଜ୍ ହିଟ୍ ଆଣ୍ଡ ରନ୍ ମାମଲାରେ ଥାନାରେ ଜେରା ହେଲେ ଜଜ୍
