ବୀରନରସିଂହପୁର ମା ଦକ୍ଷିଣକାଳୀଙ୍କ ପୂଜା ପାଇଁ ମାଟି ଅନୁକୂଳ

ପୁରୀ- ପୁରୀ ଚନ୍ଦନପୁର ନିକଟସ୍ଥ ବୀରନରସିଂହପୁର ସ୍ଥିତ ମା ଦକ୍ଷିଣକାଳୀଙ୍କ କାଳୀପୂଜା ପାଇଁ ମାଟି ଅନୁକୂଳ ହୋଇଯାଇଛି । ନଭେମ୍ବର ୮ ତାରିଖ ଓ ୯ ତାରିଖ କାଳୀପୂଜା ପାଇଁ ମୃଣ୍ମୟୀ ପ୍ରତିମା ପାଇଁ ଏହି ମାଟି ଅନୁକୂଳ ହୋଇଥିଲା । ମାଟି ଅନୁକୂଳ ପାରମ୍ପରିକ ବିଧିବିଧାନ ଅନୁଯାଇ ମନ୍ଦିରରୁ ଆଜ୍ଞାମାଳ ଧରି ମୁଖ୍ଯ ପୂଜକ ହାରାଧନ ବାର୍ନାଜୀ (ତାରୁ ଭାଇନା) ପାରମ୍ପରିକ ବାଦ୍ଯ ଓ ଘଣ୍ଟ ଘଣ୍ଟା କାହାଳୀରେ ଶୋଭାଯାତ୍ରାରେ ଭଗବାନପୁର ମଶାଣି ନିକଟକୁ ଯାଇଥିଲେ । ପାରମ୍ପରିକ ବାଦ୍ଯ ଓ ଘଣ୍ଟ ଘଣ୍ଟା ଶବ୍ଦରେ ପ୍ରକମ୍ପିତ ହୋଇଥିଲା ପୂଜା ପରିସର ।ପଣ୍ଡିତ ବିଶ୍ବମ୍ଭର ଦାଶ ଶାସ୍ତ୍ରୀୟ ବିଧି ଅନୁଯାଇ ପୂଜାର୍ଚ୍ଚନା କରି ମାଟି ଉଠାଇଥିଲେ । ଏହି ମାଟିକୁ ମୁଖ୍ଯ ପୂଜକ ତାରୁ ଭାଇନା ଧରି ମାଙ୍କ ମନ୍ଦିରକୁ ଫେରିଥିଲେ । ଧୂପଦୀପ ଓ ସୁଗନ୍ଧିତ ପୁଷ୍ପର ବାସ୍ନାରେ ମହକୁଥିଲା ମଶାଣି ପରିସର । ମନ୍ତ୍ର ପାଠ ଉଚ୍ଚାରଣରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ମାଟି ଅନୁକୂଳ ସମୟରେ ଚଣ୍ଡିପ୍ରସାଦ ବାନାର୍ଜୀ,ଭବାନୀ ପ୍ରସାଦ ବାନାର୍ଜୀ,କାଳୀ ପ୍ରସାଦ ବାନାର୍ଜୀ,ଅନିକେତ ବାନାର୍ଜୀଙ୍କ ସମେତ ମନ୍ଦିର ସହଯୋଗି ପୂଜକ ମାନେ ଉପସ୍ଥିତ ଥିଲେ । ଏହି ମାଟି ଅନୁକୂଳ ଦେଖିବା ପାଇଁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ମା ଦକ୍ଷିଣକାଳୀଙ୍କ ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିଲା ।

Leave a Reply

Your email address will not be published. Required fields are marked *