ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ବଲାଙ୍ଗିରରେ ଧୂମଧାମରେ ପାଳିତ

ବଲାଙ୍ଗିର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ ବଲାଙ୍ଗିରରେ ଧୂମଧାମର ସହ ପାଳିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ଲଗ୍ନ ଅନୁସାରେ ମଙ୍ଗଳବାର ସକାଳ ୯ଟା ୩୬ରୁ ୧୦ଟା ୧୦ ମଧ୍ୟରେ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ମା’ ପାଟଣେଶ୍ୱରୀ ଓ ବଲାଙ୍ଗିରର ଇଷ୍ଟଦେବୀ ମା’ ସମଲେଶ୍ବରୀଙ୍କ ଠାରେ ନବାନ୍ନ ଲାଗି କରାଯାଇଥିଲା। ମୂଖ୍ୟ ପୂଜକ ମା’ଙ୍କ ନିକଟରେ ନବାନ୍ନ ଅର୍ପଣ କରିଥିଲେ।  ବଲାଙ୍ଗିରବାସୀ ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ବରୀଙ୍କ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁଙ୍କୁ ମା’ଙ୍କ ନିକଟରେ ଅର୍ପଣ କରାଯାଇଥିବା ନବାନ୍ନ ଭୋଗ ପ୍ରଦାନ କରଯାଇଥିଲା। ପରେ ଲୋକେ ନିଜ ନିଜ ଘରେ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରିଥିଲେ। ପରିବାରର ବୟୋଜ୍ୟେଷ୍ଠ ବା ମୁଖ୍ୟ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ନବାନ୍ନ ଅର୍ପଣ କରିଥିଲେ। ଲୋକେ ନବାନ୍ନ ସହ ନୂଆଁଖାଇ ଅବସରରେ ତିଆରି ଭାତ, ଡାଲି, ତରକାରୀ, ଖଟା, ଖିରି, ଖଟା, ପିଠା, ମଣ୍ଡା, ମିଠା ଆଦି ସୁସ୍ୱାଦୁ ବ୍ୟଞ୍ଜନ ଖାଇଥିଲେ। କନିଷ୍ଠମାନେ ବରିଷ୍ଠ ଓ ଗୁରୁଜନମାନଙ୍କୁ ମୁଣ୍ଡିଆ ମାରି ଓ ଜୁହାର କରି ନୂଆଁଖାଇର ଶୁଭେଚ୍ଛା ଜଣାଇ ଆଶୀର୍ବାଦ ନେଇଥିଲେ। ଚଳିତ ବର୍ଷ ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ନୂଆଁଖାଇ ପର୍ବ ପାଳିତ ହୋଇଯାଇଛି। ବଲାଙ୍ଗିର ରାଜପରିବାରର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ କଳିକେଶଙ୍କ ପତ୍ନୀ ମେଘନା ଦେବୀ ଯୋଗଦେଇ ନୂଆଁଖାଇ ପାଳନ କରିଥିଲେ। ବଲାଙ୍ଗିର ରାଜପରିବାର ରାଜପୁରୋହିତ ସନ୍ତୋଷ ଦାଶ ରାଜପରିବାର ସଦସ୍ୟଙ୍କୁ ନବାନ୍ନ ଅର୍ପଣ କରିଥିଲେ। ବଲାଙ୍ଗିରରେ ଗାଁ’ରୁ ସହର ପର୍ଯ୍ୟନ୍ତ ଧନୀରୁ ଗରିବ ସମସ୍ତେ ମିଳିମିଶି ନୂଆଁଖାଇ ପର୍ବ ପାଳନ କରିଛନ୍ତି।

Leave a Reply

Your email address will not be published. Required fields are marked *