ଟିଭିକେକୁ ‘ରାଜ୍ୟ ଦଳ’ ଭାବେ ମାନ୍ୟତା ପ୍ରଦାନ

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଅଭିନେତାରୁ ରାଜନେତା ବନିଥିବା ସୁପରଷ୍ଟାର୍ ସି. ଜୋସେଫ୍ ବିଜୟଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ୍’ (ଟିଭିକେ)କୁ ତାମିଲନାଡୁ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଏକ ‘ରାଜ୍ୟ ଦଳ’ ଭାବେ ମାନ୍ୟତା ପ୍ରଦାନ କରିଛନ୍ତି। ଇସିଆଇର ଏହି ମାନ୍ୟତା ପରେ ଦଳର ନିର୍ବାଚନ ସଙ୍କେତ ‘ସିଟି’ (ହୁଇସିଲ୍‌)କୁ ତାମିଲନାଡୁ ଓ ପୁଡୁଚେରୀରେ ଟିଭିକେ ପାଇଁ ସଂରକ୍ଷିତ କରାଯାଇଛି। ଚଳିତବର୍ଷ ତାମିଲନାଡୁ ବିଧାନସଭା ନିର୍ବାଚନରେ ଟିଭିକେ ୧୦୮ଟି ଆସନ ଜିତିବା ସହ ୩୪.୯୨% ଭୋଟ୍ ହାସଲ କରି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ଏହା ସହିତ ପୁଡୁଚେରୀରେ ମଧ୍ୟ ଦଳ ୨ଟି ଆସନ ଜିତିଥିଲା। ଇସିଆଇର ନିୟମାନୁସାରେ ଆବଶ୍ୟକ ଭୋଟ୍ ପ୍ରତିଶତ ଏବଂ ଆସନ ସଂଖ୍ୟା ପୂରଣ କରିଥିବାରୁ ଏହି ମାନ୍ୟତା ମିଳିଛି। ଇସିଆଇର ଏହି ମାନ୍ୟତା ପରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଟିଭିକେ ସଭାପତି ବିଜୟ ସୋସିଆଲ ମିଡିଆ ମାଧ୍ୟମରେ ତାମିଲନାଡୁର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦଳ ଗଠନର ମାତ୍ର ୨୭ ମାସ ମଧ୍ୟରେ ଜନସାଧାରଣ ‘ସିଟି’ ଚିହ୍ନ ଉପରେ ବିଶ୍ୱାସ ଦେଖାଇ ଯେଉଁ ନିର୍ବାଚନୀ ଜନାଦେଶ ଦେଇଛନ୍ତି, ତାହାକୁ ସେ ଏକ ନିରବ ଗଣତାନ୍ତ୍ରିକ ବିପ୍ଲବ ବୋଲି ଅଭିହିତ କରିଛନ୍ତି।

Leave a Reply

Your email address will not be published. Required fields are marked *