ନୂଆଦିଲ୍ଲୀ: ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଗ୍ରାହକଙ୍କ ପାଇଁ ଏଲପିଜି ରିଫିଲ୍ ବୁକିଂ ବ୍ୟବଧାନକୁ କୋହଳ କରିଛନ୍ତି କେନ୍ଦ୍ର ସରକାର। ଏଣିକି ସମସ୍ତ ଘରୋଇ ଏଲପିଜି ଗ୍ରାହକ ୨୫ ଦିନ ବ୍ୟବଧାନରେ ସିଲିଣ୍ଡର ରିଫିଲ୍ ବୁକ୍ କରିପାରିବେ। ଏଲପିଜି ଯୋଗାଣ ସ୍ଥିତିରେ ଉନ୍ନତି ଓ ରିଫିଲ୍ ବ୍ୟାକଲଗ୍ରେ ହ୍ରାସ ପରେ ସରକାର ଏହି କଟକଣା କୋହଳ କରିଛନ୍ତି।କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ଏନେଇ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଘରୋଇ ଏଲପିଜି ଯୋଗାଣ ବ୍ୟବସ୍ଥାରେ ସୁଧାର ଆସିଥିବାରୁ ପୂର୍ବରୁ ଲାଗୁ ହୋଇଥିବା ରିଫିଲ୍ ବୁକିଂ କଟକଣାକୁ ସରକାର କୋହଳ କରିଛନ୍ତି। ଏହା ପୂର୍ବରୁ ଯୋଗାଣ ଚାପ ଯୋଗୁଁ ସହରାଞ୍ଚଳରେ ଗ୍ରାହକମାନେ ୨୫ ଦିନ ବ୍ୟବଧାନରେ ଏଲପିଜି ରିଫିଲ୍ ବୁକ୍ କରିପାରୁଥିଲେ। ଅନ୍ୟପକ୍ଷରେ ଗ୍ରାମାଞ୍ଚଳର ଗ୍ରାହକଙ୍କୁ ୪୫ ଦିନ ଅପେକ୍ଷା କରିବାକୁ ପଡ଼ୁଥିଲା। ବର୍ତ୍ତମାନ ଯୋଗାଣ ସ୍ଥିତିରେ ସୁଧାର ହେବା ପରେ ଏହି ପାର୍ଥକ୍ୟକୁ ହଟାଇ ଦିଆଯାଇଛି। ଫଳରେ ଗ୍ରାମାଞ୍ଚଳର ଗ୍ରାହକମାନେ ମଧ୍ୟ ସହରାଞ୍ଚଳ ଭଳି ୨୫ ଦିନ ବ୍ୟବଧାନରେ ରିଫିଲ୍ ବୁକିଂ କରିପାରିବେ।
ଘରୋଇ ଏଲପିଜି ଗ୍ରାହକଙ୍କ ପାଇଁ ଖୁସି ଖବର .ବୁକିଂ ନିୟମରେ ପରିବର୍ତ୍ତନ
