କରଞ୍ଜିଆ/ତାଟୋ : ମୟୂରଭଞ୍ଜ ଜିଲା ଅନ୍ତର୍ଗତ କରଞ୍ଜିଆ ବନଖଣ୍ଡ ତାଟୋ ଅଧୀନରେ ଥିବା ବାରାହାକାମୁଡ଼ା ସେକ୍ସନ କଦଳୀବାଡ଼ି ଗାଁରେ ବାଘ ଆତଙ୍କ ଦେଖାଦେଇଛି। ଏକ କଲରାପତରିଆ ବାଘ କଦଳୀବାଡ଼ିର ଘନଶ୍ୟାମ ଗାଗରାଇଙ୍କ ୪ଟି ଛେଳି ମାରି ଖାଇଥିବା ଅଭିଯୋଗ ହୋଇଛି। ରବିବାର ଦିନ ପ୍ରାୟ ୨ଟା ବେଳେ ଯଶିପୁରସ୍ଥ ଉତ୍ତର ବନ୍ୟପ୍ରାଣୀ ବନଖଣ୍ଡର କେନ୍ଦୁମୁଣ୍ଡି ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ ପଶ୍ଚିମଦେଓ କମ୍ପାର୍ଟମେଣ୍ଟ ନମ୍ବର ୪ ସଂରକ୍ଷିତ ଜଙ୍ଗଲରେ ଏହି ଘଟଣା ଘଟିଛି। ବନପାଳ ରଜତ କୁମାର ମହାନ୍ତ ତଦନ୍ତ କରି ଆଜି ଏହା ସ୍ପଷ୍ଟ କରିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି।
ଦୁଧିଆଣୀ ବନାଞ୍ଚଳ ଅଧିକାରୀ ମହାବୀର ସିଂ ମୁର୍ମୁଙ୍କ ନିର୍ଦେଶ ମତେ ସୋମବାର ବାରାକାମୁଡର ସେକ୍ସନ ବନପାଳ ରଜତ ମହାନ୍ତ ଓ ସହକର୍ମୀ ସେହି ଗାଆଁର ଜ୍ଞାନେନ୍ଦ୍ର ଗାଗରାଇ ଓ ଘନଶ୍ୟାମ ଗାଗରାଇଙ୍କ ଘରେ ପହଞ୍ଚି ତଦନ୍ତ କରିଥିଲେ। ଘର ପାଖ ଜଙ୍ଗଲରେ ଖଣ୍ଡବିଖଣ୍ଡିତ ଛେଳି ବିଭିନ୍ନ ସ୍ଥାନରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଯଥାଶୀଘ୍ର ଏହି ଗରିବ ଆଦିବାସୀ ପରିବାରକୁ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ସ୍ଥାନୀୟ ସମାଜସେବୀ ଚନ୍ଦ୍ର କୁମାର ଶ୍ୟାମଳେନ୍ଦୁ ଦାସ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି।
କଦଳୀବାଡ଼ି ଗାଁରେ ବାଘ ଆତଙ୍କ
