ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନ : ରାଜ୍ୟକୁ ୨,୪୩,୧୬୨ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ତିନିଦିନିଆ ୟୁଏଇ ନିବେଶ ଅଭିଯାନ ଆଜି ଶେଷ ହୋଇଛି। ଆବୁଧାବି ଏବଂ ଦୁବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟକୁ ୨,୪୩,୧୬୨ କୋଟିର ନିବେଶ ପ୍ରସ୍ତାବ ମିଳିଛି। ଏହାଦ୍ବାରା ୬,୧୮,୭୨୫ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ବାଟ ଫିଟିଛି। ଏହି ଅବସରରେ ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା-ୟୁଏଇ ସହଭାଗିତା ବ୍ୟକ୍ତିଗତ ନିବେଶଠାରୁ ଆଗକୁ ଯାଇ ଉତ୍ପାଦନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ରପ୍ତାନି, ଇନୋଭେସନ୍‌, ଦକ୍ଷତା ଏବଂ ଉଦ୍ୟମିତାରେ ଦୀର୍ଘସ୍ଥାୟୀ ଭାଗୀଦାରି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେ ୟୁଏଇର ବ୍ୟବସାୟୀମାନଙ୍କୁ ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାକୁ ନିମନ୍ତ୍ରଣ କରିଛନ୍ତି।
ଉଦ୍‌ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ-ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା। ଇନଭେଷ୍ଟର୍ସ ମିଟ୍‌ରେ ପ୍ରାୟ ୪୦୦ ବ୍ୟବସାୟିକ ପ୍ରତିନିଧି ଏବଂ ନିବେଶକ ଯୋଗ ଦେଇଥିଲେ। ସମ୍ମିଳନୀରେ ପାରମ୍ପରିକ ଖଣିଜ ଶିଳ୍ପ ବ୍ୟତୀତ ପ୍ରୋସେସଡ୍‌ ଫୁଡ୍ (ପ୍ରକ୍ରିୟାକୃତ ଖାଦ୍ୟ) କ୍ଷେତ୍ରକୁ ସର୍ବବୃହତ୍ ନିବେଶ ସୁଯୋଗ ଭାବେ ଉପସ୍ଥାପନ କରାଯାଇଥିଲା। ଏହାବ୍ୟତୀତ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ନିବେଶ, ଏଲଏନ୍‌ଜି ଷ୍ଟୋରେଜ୍, ସବୁଜ ଶକ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡାଟାସେଣ୍ଟର୍‌, ରେୟାର ଆର୍ଥ, ଜାହାଜ ମରାମତି, ସାର ଏବଂ ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ୟୁଏଇର ପ୍ରମୁଖ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରି ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ କମ୍ପାନୀ ସହ ହୋଇଥିବା ପ୍ରମୁଖ ଚୁକ୍ତିଗୁଡ଼ିକ ମଧ୍ୟରେ ଏଲଏନଜି ଷ୍ଟୋରେଜ୍ ନିର୍ମାଣ ପାଇଁ ‘କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ’ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି ସବୁଜ ଶକ୍ତି, ଏଆଇ ଡାଟା ସେଣ୍ଟର୍‌ ଏବଂ ରେୟାର ଆର୍ଥ ପ୍ରକଳ୍ପ ପାଇଁ ରାଣା ହୋଲ୍ଡିଂସ ଲିମିଟେଡ୍ ଏମଓୟୁ କରିଛି। ଗୃହ ନିର୍ମାଣ ପାଇଁ ସରଫ ଗ୍ରୁପ୍ ଏବଂ ଇସ୍ପାତ ଶିଳ୍ପ ପାଇଁ ପିଟିସିଏଲ୍ ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଜାହାଜ ମରାମତି ନିମନ୍ତେ ଡାଲୱିନ୍ ମେରାଇନ୍ ଓ ଟର୍ବୋ ପାୱାର ଇଞ୍ଜିନିୟରିଂ, ପ୍ରୋପେଲାଣ୍ଟ ଉତ୍ପାଦନ ପାଇଁ ଆୟନ ଟେକ୍ନୋଲୋଜିସ୍ ଏବଂ ସାର ତଥା ରାସାୟନିକ ପଦାର୍ଥ ଉତ୍ପାଦନ ଲାଗି ଏଗ୍ରିଫିଲ୍ଡସ୍ ଏଫଜେଡସିଓ ପକ୍ଷରୁ ନିବେଶ ପ୍ରସ୍ତାବ ଆସିଛି।

Leave a Reply

Your email address will not be published. Required fields are marked *